ନ୍ୟୁଜ ଡେକ୍ସ : ଦେଶବ୍ୟାପୀ ସଡ଼କ ଦୁର୍ଘଟଣା ପରିସ୍ଥିତି ଉପରେ ତିନି ବର୍ଷର ଗଭୀର ବିଶ୍ଳେଷଣ ପରେ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସର୍ବାଧିକ ୧୦୦ଟି ଦୁର୍ଘଟଣାପ୍ରବଣ ଜିଲ୍ଲାର ତାଲିକା ପ୍ରକାଶ କରାଯାଇଛି। ସେହି ତାଲିକାରେ ଓଡ଼ିଶାର ସୁନ୍ଦରଗଡ଼ ଓ ଗଞ୍ଜାମ ଜିଲ୍ଲା ମଧ୍ୟ ସ୍ଥାନ ପାଇଛି।ତାଲିକାନୁସାରେ, ସୁନ୍ଦରଗଡ଼ ଜିଲ୍ଲା ୮୪ତମ ସ୍ଥାନରେ, ଯେଉଁଠାରେ ୨୦୨୪ ମସିହାରେ ୯୦୨ଟି ସଡ଼କ ଦୁର୍ଘଟଣା ଘଟିଥିଲା।
ଏଥିରେ ୫୨୧ ଜଣ ମୃତ୍ୟୁ ଓ ୭୦୧ ଜଣ ଆହତ ହୋଇଥିଲେ।ତାହାପରେ ଗଞ୍ଜାମ ଜିଲ୍ଲା ୯୦ତମ ସ୍ଥାନ ଦାଖଲ କରିଛି। ଗଞ୍ଜାମରେ ୨୦୨୪ରେ ୮୨୦ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୩୯୨ ଜଣ ପ୍ରାଣ ହରାଇଛନ୍ତି ଓ ୭୧୦ ଜଣ ଆହତ ହୋଇଛନ୍ତି। ଗଞ୍ଜାମରେ ମୃତ୍ୟୁ ଘଟଣାର ୬୦ ପ୍ରତିଶତ ବାଇକ୍ ଦୁର୍ଘଟଣା ଯୋଗୁଁ ହୋଇଥିବା ବିଷୟ ରିପୋର୍ଟରେ ଦର୍ଶାଯାଇଛି। ସୂଚନା ମିଳିଛି ଯେ, ସଡ଼କ ଦୁର୍ଘଟଣାର କାରଣ, ମୃତ୍ୟୁଦର, ଏବଂ ନିରାକରଣ ପାଇଁ କାହିଁକି ଏବଂ କିପରି ପଦକ୍ଷେପ ନିଆଯିବା ଉଚିତ — ସେନେଇ ଅଧ୍ୟୟନ ପାଇଁ ଜାତୀୟ ରାଜପଥ ମନ୍ତ୍ରଣାଳୟ ଗତ ବର୍ଷ ଏକ ଘରୋଇ ପ୍ରତିଷ୍ଠାନକୁ ନିଯୁକ୍ତ କରିଥିଲା।
ସେହି ପ୍ରତିଷ୍ଠାନ ୨୦୨୪ରେ ଦେଶବ୍ୟାପୀ ସଡ଼କ ଦୁର୍ଘଟଣା ସର୍ବେକ୍ଷଣ କରି ମନ୍ତ୍ରଣାଳୟକୁ ଏହି ତଥ୍ୟ ଦେଇଛି।ରିପୋର୍ଟ ପ୍ରକାଶ ପରେ ଓଡ଼ିଶାର ଏହି ଦୁଇ ଜିଲ୍ଲାକୁ ଅତ୍ୟଧିକ ବିପଦପ୍ରବଣ ଘୋଷଣା କରାଗଲା କୁହି ରାଜ୍ୟ ସରକାର ଓ ଜାତୀୟ ରାଜପଥ ମନ୍ତ୍ରଣାଳୟଙ୍କୁ ଏହାକୁ ହ୍ରାସ କରିବା ପାଇଁ ଆପତ୍କାଳୀନ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।ପରିବହନ ନିୟନ୍ତ୍ରଣ, ବେପରୁଆ ଗତି, ହେଲ୍ମେଟ୍ ବ୍ୟବହାର, ରାତିରେ ଡ୍ରାଇଭିଂ ସୁରକ୍ଷା ଓ ରାସ୍ତା ଢାଞ୍ଚାଗତ ସୁଦୃଢ଼ତାକୁ ବଢ଼ାଇବା ପାଇଁ ଶୀଘ୍ର ପଦକ୍ଷେପ ନିଆଯିବା ଆବଶ୍ୟକ ହୋଇପଡ଼ିଛି।

