Tue. Feb 24th, 2026

ନ୍ୟୁଜ ଡେକ୍ସ : ଗତ ୧୮ ମାସ ମଧ୍ୟରେ ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ ୨୦ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଲାଞ୍ଚ ନେବ ଅଭିଯୋଗରେ ଗିରଫ କରିଥିବା ତଥ୍ୟ ସୋମବାର ଦିନ ରାଜ୍ୟ ବିଧାନସଭାରେ ଖୋଲାସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ମୁଖ୍ୟମନ୍ତ୍ରୀ ଅବଗତ କରାଇଛନ୍ତି ଯେ, ସରକାରୀ ପରିସଂଖ୍ୟାନ ଅନୁଯାୟୀ ଏହି ଅବଧି ମଧ୍ୟରେ ଭିଜିଲାନ୍ସ ସଂପର୍କିତ ମାମଲାରେ ସର୍ବମୋଟ ୨୭୧ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ କରାଯାଇଛି।

ସେମାନଙ୍କ ମଧ୍ୟରୁ ୧୭୪ ଜଣଙ୍କୁ ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଅନୁଯାୟୀ, ୩୩ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସେହିପରି ଦୁର୍ନୀତି ମାମଲାରେ ସମ୍ପୃକ୍ତ ୬୫ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କ ପେନସନ ସ୍ଥଗିତ ରଖାଯାଇଛି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭିଜିଲାନ୍ସ ନିର୍ଦ୍ଦେଶାଳୟ ବିଭିନ୍ନ ସ୍ତରରେ ଲାଞ୍ଚ କାରବାରକୁ ପର୍ଦ୍ଦାଫାସ କରିବାକୁ ଟ୍ରାପ୍ ଅପରେସନକୁ ପ୍ରାଥମିକତା ଦେଇ ଚାଲିଛି।

ସରକାରର ମୁଖ୍ୟ ଲକ୍ଷ୍ୟ ସମସ୍ତ ବିଭାଗରେ ସ୍ୱଚ୍ଛତା, ସତତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ବୋଲି ସେ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇ ନିୟମିତ ତଦାରଖ, ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *