Tue. Feb 24th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଆସୁଥିବା ଅଭିଯୋଗ ମଧ୍ୟରୁ ଦେଢ଼ ବର୍ଷ ମଧ୍ୟରେ ୯୧ ପ୍ରତିଶତ ଅଭିଯୋଗର ସଫଳ ସମାଧାନ ହୋଇଛି। ଆଜି ବିଧାନସଭାରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।ଆଇନ୍ ମନ୍ତ୍ରୀଙ୍କ କହିବା ଅନୁସାରେ, ଗତ ଦେଢ଼ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ୧୩ ହଜାର ୩୫୮ଟି ଅଭିଯୋଗ ଗ୍ରହଣ କରିଥିବା ବେଳେ ସେଥିରୁ ୧୨ ହଜାର ୪୩୨ଟି ଅଭିଯୋଗର ସମାଧାନ ହୋଇଛି।

ବାକି ଅଭିଯୋଗଗୁଡ଼ିକ ଜଟିଳ ଥିବାରୁ ସମ୍ବିଧାନସମ୍ମତ ଭାବେ ବିଭାଗୀୟ ତର୍ଜମା ଚାଲିଛି।ସେ ଆହୁରି କହିଛନ୍ତି ଯେ, ଜିଲ୍ଲା, ଉପଖଣ୍ଡ ଓ ତହସିଲ ସ୍ତରରେ ପ୍ରତି ସୋମବାର ନିୟମିତ ଭାବେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ମୁଖ୍ୟ ଶାସନ ସଚିବ, ବିଭିନ୍ନ ନିର୍ଦ୍ଦେଶାଳୟ ଏବଂ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ମଧ୍ୟ ଅଭିଯୋଗ ରେଜିଷ୍ଟ୍ରେସନ ସୁବିଧା ଉପଲବ୍ଧ ଅଛି। ଆଇନ୍ ମନ୍ତ୍ରୀ ଗୃହରେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ୨୦୦୮ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରହିଥିଲେ ମଧ୍ୟ, ପୂର୍ବତନ ସରକାର ସମୟରେ ଏହା ସକ୍ରିୟ ଭାବେ କାର୍ଯ୍ୟ କରୁନଥିଲା। ବର୍ତ୍ତମାନ ସରକାର ଏହାକୁ ସକ୍ରିୟ କରି ସାଧାରଣ ଲୋକଙ୍କୁ ଶୀଘ୍ର ନ୍ୟାୟ ମିଳିବାକୁ ବ୍ୟବସ୍ଥା କରିଛନ୍ତି।ସେହିପରି ଜନଶୁଣାଣି ପୋର୍ଟାଲର ସୂଚନା ମଧ୍ୟ ଗୃହରେ ରଖାଯାଇଛି।

ଏପର୍ଯ୍ୟନ୍ତ ୧୪ ଲକ୍ଷ ୪୧ ହଜାର ୮୩୨ଟି ଅଭିଯୋଗ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ ହୋଇଥିବା ବେଳେ, ୧୩ ଲକ୍ଷ ୭ ହଜାର ୨୫୩ଟି ଅଭିଯୋଗର ସମାଧାନ ହୋଇସାରିଛି। ବାକି ୧ ଲକ୍ଷ ୩୪ ହଜାର ୫୭୯ଟି ଅଭିଯୋଗ ମଧ୍ୟରୁ ଅଧିକାଂଶ ଜଟିଳ ଥିବାରୁ ସେଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ଦିଗ ଉପରେ ଗଭୀର ଚିନ୍ତା-ଚର୍ଚ୍ଚା ଚାଲୁଛି।ଏହି ପ୍ରସଙ୍ଗରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରଶ୍ନ ଉଠାଇ କହିଥିଲେ ଯେ, ପୂର୍ବରୁ ଅଫିସର ରାଜ ଚାଲୁଥିବାରୁ ଗ୍ରାଉଣ୍ଡ ସ୍ତରରେ ବ୍ଲକ୍‌କୁ ଆସୁଥିବା ସାଧାରଣ ଲୋକଙ୍କ ଅଭିଯୋଗର ସଠିକ୍ ସମାଧାନ ହେଉନଥିଲା। ସେଥିପାଇଁ ବର୍ତ୍ତମାନ କଣ ପଦକ୍ଷେପ ନିଆଯାଇଛି ଓ କୌଣସି ସମୟ ସୀମା ନିର୍ଦ୍ଧାରଣ କରାଯାଇଛି କି ବୋଲି ସେ ପ୍ରଶ୍ନ କରିଥିଲେ। ଯାହାର ଯୁକ୍ତିସଙ୍ଗତ ଉତ୍ତର ଆଇନ୍ ମନ୍ତ୍ରୀ ଗୃହରେ ରଖିଛନ୍ତି।

Leave a Reply

Your email address will not be published. Required fields are marked *