ନ୍ୟୁଜ ଡେକ୍ସ : ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ ହେବା ପୂର୍ବରୁ ଏବଂ ଗୃହକୁ ମୁଲତବୀ ରଖିବା ଆଗରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଉପସ୍ଥାପିତ ପାରିଶ୍ରମିକ ସଂଶୋଧନ ବିଲ୍କୁ ଓଡ଼ିଶା ବିଧାନସଭା ମଙ୍ଗଳବାର ଦିନ ପାସ୍ କରିଛି। ଏହି ବିଲ୍ ପାସ୍ ହେବା ସହ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତିଙ୍କ ଦରମା ଏବଂ ପୂର୍ବତନ ବିଧାୟକଙ୍କ ପେନସନରେ ଲକ୍ଷଣୀୟ ବୃଦ୍ଧିକୁ ମଞ୍ଜୁରୀ ମିଳିଛି।ନୂତନ ନିୟମ ଅନୁଯାୟୀ କାର୍ଯ୍ୟରତ ଓ ପୂର୍ବତନ ବିଧାୟକଙ୍କ ମାସିକ ଦରମା ଓ ପେନସନ ବର୍ତ୍ତମାନ ୯୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ଏହାସହ ବାଚସ୍ପତିଙ୍କ ମାସିକ ଦରମା ପୂର୍ବରୁ ୪୦,୫୦୦ ଟଙ୍କା ଥିବା ବେଳେ ବୃଦ୍ଧି ପାଇ ୯୮,୦୦୦ ଟଙ୍କା କରାଯାଇଛି। ବିଧାନସଭା ବୈଠକ ଭତ୍ତା ୮୦୦ ଟଙ୍କାରୁ ବଢ଼ି ୨,୦୦୦ ଟଙ୍କା କରାଯାଇଛି। ବାଚସ୍ପତିଙ୍କ ପାଇଁ କାର ଭତ୍ତା ୧୭,୦୦୦ ଟଙ୍କାରୁ ବୃଦ୍ଧି ପାଇ ୮୯,୦୦୦ ଟଙ୍କା କରାଯାଇଛି। ସେହିପରି ମହଙ୍ଗା ଭତ୍ତା ପ୍ରତିମାସ ୪୦,୦୦୦ ଟଙ୍କାରୁ ବୃଦ୍ଧି ପାଇ ୧.୮୧ ଲକ୍ଷ ଟଙ୍କାକୁ ପହଞ୍ଚିଛି। ସରକାରୀ କ୍ୱାର୍ଟର ଆବଣ୍ଟନ ହେଉଯାଏଁ ବାଚସ୍ପତିଙ୍କୁ ପ୍ରତିଦିନ ଆବାସ ଭତ୍ତା ଭାବେ ୨,୦୦୦ ଟଙ୍କା ମିଳିବ, ଯାହା ପୂର୍ବରୁ ୧,୦୦୦ ଟଙ୍କା ଥିଲା।ବିଧାୟକମାନଙ୍କ ବିଭିନ୍ନ ଭତ୍ତାରେ ମଧ୍ୟ ଲକ୍ଷଣୀୟ ବୃଦ୍ଧି କରାଯାଇଛି।ସାମ୍ପୁଚରୀ ଭତ୍ତା ୪୦,୦୦୦ ଟଙ୍କାରୁ ବୃଦ୍ଧି ପାଇ ୯୬,୦୦୦ ଟଙ୍କା କରାଯାଇଛି। ନିର୍ବାଚନମଣ୍ଡଳୀ ଓ ଲୋକସଭା ଭବନ ପରିଦର୍ଶନ ଭତ୍ତା ୨୦,୦୦୦ ଟଙ୍କାରୁ ବଢ଼ି ୭୫,୦୦୦ ଟଙ୍କା ହୋଇଛି।କମିଟି ଭତ୍ତା ୧,୫୦୦ ଟଙ୍କାରୁ ବଢ଼ି ୩,୦୦୦ ଟଙ୍କା ହୋଇଥିବା ବେଳେ ଓଡ଼ିଶା ବାହାରେ କମିଟି ଭତ୍ତା ୨,୦୦୦ ଟଙ୍କାରୁ ବୃଦ୍ଧି ପାଇ ୧୦,୦୦୦ ଟଙ୍କା କରାଯାଇଛି।
ରାଜ୍ୟ ଭିତରେ ଯାତ୍ରା ଭତ୍ତା ପ୍ରତି କିଲୋମିଟର ୨୫ ଟଙ୍କାରୁ ବଢ଼ି ୩୫ ଟଙ୍କା କରାଯାଇଛି ଏବଂ ମାସିକ ପରିବହନ ଭତ୍ତା ୧୫,୦୦୦ ଟଙ୍କାରୁ ବଢ଼ି ୫୦,୦୦୦ ଟଙ୍କା କରାଯାଇଛି। ସଦସ୍ୟଙ୍କ ମାସିକ ଭତ୍ତା ୨,୦୦୦ ଟଙ୍କାରୁ ବଢ଼ି ୧୦,୦୦୦ ଟଙ୍କା କରାଯାଇଛି। ବିଦ୍ୟୁତ୍ ଶୁଳ୍କ ୫,୦୦୦ ଟଙ୍କାରୁ ବଢ଼ି ୨୦,୦୦୦ ଟଙ୍କା ଏବଂ ଚିକିତ୍ସା ଭତ୍ତା ୫,୦୦୦ ଟଙ୍କାରୁ ବଢ଼ି ୩୫,୦୦୦ ଟଙ୍କା କରାଯାଇଛି। ଆବାସ ଭତ୍ତା ପ୍ରତିଦିନ ୧,୦୦୦ ଟଙ୍କାରୁ ବଢ଼ି ୨,୦୦୦ ଟଙ୍କା ହୋଇଥିବା ବେଳେ ମୋଟର ଗାଡ଼ି ଅଗ୍ରୀମ ୫ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୧୦ ଲକ୍ଷ ଟଙ୍କା କରାଯାଇଛି।
ପୂର୍ବରୁ ରାଜ୍ୟର ବିଧାୟକମାନେ ଯାତ୍ରା ଓ ଅଧିବେଶନ ସମ୍ବନ୍ଧୀୟ ଭତ୍ତା ସହିତ ୩୫,୦୦୦ ରୁ ୬୫,୦୦୦ ଟଙ୍କା ପର୍ଯ୍ୟନ୍ତ ଭତ୍ତା ପାଉଥିଲେ। ସେହିପରି ମନ୍ତ୍ରୀମାନେ (କ୍ୟାବିନେଟ୍ ଏବଂ ରାଜ୍ୟମନ୍ତ୍ରୀ) ଯଥାକ୍ରମେ ୪୦,୦୦୦ ଓ ୩୮,୦୦୦ ଟଙ୍କା ମାସିକ ଦରମା ପାଉଥିଲେ। ବିଲ୍ ପାସ୍ ହେବା ପରେ ସମସ୍ତଙ୍କ ପାଇଁ ଦରମା ଓ ଭତ୍ତାରେ ବ୍ୟାପକ ବୃଦ୍ଧି ଘଟିଛି।ନୂତନ ସଂଶୋଧିତ ନିୟମ ଅନୁଯାୟୀ ଆଗାମୀଦିନରେ ଲାଗୁ ହେବାକୁ ଥିବା ଏହି ବୃଦ୍ଧି ସମ୍ପର୍କରେ ସରକାରୀ ବିଜ୍ଞପ୍ତି ଯଥାଶୀଘ୍ର ଜାରି ହେବ ବୋଲି ସୂଚନା ମିଳିଛି।

