Tue. Feb 24th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବକୁ ନେଇ ବିଧାନସଭାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ। ଗୃହରେ ଉତ୍ତର ରଖି ସେ କହିଛନ୍ତି ଯେ, ଓଡ଼ିଶା ସହ ଝାଡ଼ଖଣ୍ଡ ଭଳି ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳୁଛି।ମନ୍ତ୍ରୀ କହିଛନ୍ତି, କାମରେ ଅବହେଳା କରୁଥିବା ଦେଶର ପ୍ରାୟ ୬୫୩ଟି ଏଜେନ୍ସି ବିରୋଧରେ କେନ୍ଦ୍ର ସରକାର ପୂର୍ବରୁ କଡ଼ା କାର୍ଯ୍ୟାନୁଷ୍ଠାନ ନେଇସାରିଛନ୍ତି।

ଏହା ସହ ସେ ସଚେତନ କରାଇଦେଇଛନ୍ତି ଯେ, ରାଜ୍ୟରେ ଯଦି କୌଣସି ସଂସ୍ଥା ଖରାପ କାମ କରେ, ତେବେ ସେମାନଙ୍କ ବିରୁଦ୍ଧରେ ଦଣ୍ଡାତ୍ମକ ପଦକ୍ଷେପ ନିଆଯିବ।ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ୭୭.୧୦ ପ୍ରତିଶତ ଲୋକଙ୍କ ଘରେ ପିଇବା ପାଣି ପହଞ୍ଚିସାରିଛି। ରାଜ୍ୟର ୮୮.୬୬ ଲକ୍ଷ ପରିବାର ମଧ୍ୟରୁ ୬୮.୩୬ ଲକ୍ଷ ପରିବାରକୁ ପାନୀୟ ଜଳ ସଂଯୋଗ ମିଳିଛି। ସେହିପରି ୧୫,୪୨୦ଟି ଗାଁକୁ ସିଙ୍ଗିଲ ଏବଂ ମଲ୍ଟି ଭିଲେଜ୍ ପ୍ରୋଜେକ୍ଟ ମାଧ୍ୟମରେ ପାଣି ଯୋଗାଇ ଦିଆଯାଉଛି। ପରିବାର ସହ ସ୍କୁଲ, ଆଙ୍ଗନୱାଡ଼ି ଭଳି ପ୍ରତିଷ୍ଠାନକୁ ମଧ୍ୟ ପାନୀୟ ଜଳ ସୁବିଧା ଦିଆଯାଉଛି ବୋଲି ସେ କହିଛନ୍ତି।

ବିଗତ ସରକାରଙ୍କୁ ଅଭିଯୋଗ କରି ମନ୍ତ୍ରୀ ରବି ନାଏକ କହିଛନ୍ତି, ପୂର୍ବ ସରକାର କେବଳ ବସୁଥିଲେ, କିନ୍ତୁ ବର୍ତ୍ତମାନର ସରକାର ପ୍ରକଳ୍ପକୁ ଶୀଘ୍ର ସମାପ୍ତ କରି ଉଦ୍‌ଘାଟନ କରିବା ଲକ୍ଷ୍ୟରେ କାମ କରୁଛନ୍ତି।ରାଜ୍ୟରେ ପାନୀୟ ଜଳ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଥିବା ବେଳେ, ପରିୟୋଜନାରେ ଯେଉଁଠି ବିଳମ୍ବ କିମ୍ବା ଅବହେଳା ହେବ, ସେଠାରେ କଡ଼ା ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *