ନ୍ୟୁଜ ଡେକ୍ସ : ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ ହୋଇଛି। ମୋଟ ୨୯ଟି କାର୍ଯ୍ୟଦିବସ ପାଇଁ ଅଧିବେଶନ ଡାକାଯାଇଥିଲେ ମଧ୍ୟ ଗୃହ କେବଳ ୧୧ ଦିନ ଚାଲିଥିଲା। ଏହି ୧୧ ଦିନିଆ ଅଧିବେଶନ ମଧ୍ୟରେ ୧୭,୪୪୦ କୋଟି ଟଙ୍କାର ସପ୍ଲିମେଣ୍ଟରୀ ବଜେଟ୍ ସହିତ କିଛି ପ୍ରମୁଖ ବିଲ୍ ଗୃହୀତ ହୋଇଥିବା ସୂଚନା ମିଳିଛି।
ଏହି ଶୀତ ଅଧିବେଶନ ଗତ ନଭେମ୍ବର ୨୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ଅଭିଭାଷଣ ସହିତ ଆରମ୍ଭ ହୋଇଥିଲା। ରାଷ୍ଟ୍ରପତି ଗୃହକୁ ସମ୍ବୋଧନ କରି ବିଧାୟକମାନଙ୍କୁ ଆଚରଣ ଓ ଉଚ୍ଚାରଣ ନେଇ ସଚେତନ କରାଇଥିଲେ, ଯାହା ଏଥର ଅଧିବେଶନକୁ ଅଧିକ ଚର୍ଚ୍ଚିତ କରିଥିଲା।ଏହି ଅଧିବେଶନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପ୍ଲିମେଣ୍ଟରୀ ବଜେଟ୍ ଉପସ୍ଥାପନ କରିଥିଲେ। ଗୃହ ଆରମ୍ଭରୁ ଶାସକ ଓ ବିରୋଧୀ ଦଳ ମଧ୍ୟରେ ମୁହାଁମୁହିଁ ଦେଖିବାକୁ ମିଳିଥିଲା। ଶେଷ ପର୍ଯ୍ୟାୟରେ ମାଲକାନଗିରି ସମସ୍ୟାକୁ ନେଇ ଗୃହ ବେଶ କମ୍ପିଥିଲା। ମାଲକାନଗିରି ହିଂସାକାଣ୍ଡ ପ୍ରସଙ୍ଗକୁ ଉଠାଇ ବିରୋଧୀ ଦଳ ଶାସକ ଦଳକୁ ଘେରିଥିଲେ।
ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରି ‘ମଣିପୁର ପରି ମାଲକାନଗିରି ଜଳୁଛି, କିନ୍ତୁ ସରକାର ଏଥିପ୍ରତି ଗୁରୁତ୍ୱ ଦେଉନାହାଁନ୍ତି’ ବୋଲି ଅଭିଯୋଗ ଲଗାଇଥିଲେ।ଏହାସହ ମାଲକାନଗିରି ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡ ପରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଓ ପ୍ରଶାସନ ତରଫରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି।
ଶାନ୍ତି ଫେରାଇ ଆଣିବା ଉଦ୍ଦେଶ୍ୟରେ ଜିଲ୍ଲାରେ ୨୪ ଘଣ୍ଟିଆ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା।ସମଗ୍ର ଭାବେ ଏଥରର ଶୀତକାଳୀନ ଅଧିବେଶନ ରାଷ୍ଟ୍ରପତିଙ୍କ ଐତିହାସିକ ଅଭିଭାଷଣ, ସପ୍ଲିମେଣ୍ଟରୀ ବଜେଟ୍, ବିରୋଧୀ–ଶାସକ ମୁହାଁମୁହିଁ ଓ ମାଲକାନଗିରି ହିଂସା ପ୍ରସଙ୍ଗକୁ ନେଇ ବେଶ ଚର୍ଚ୍ଚାରେ ରହିଲା।

