ନ୍ୟୁଜ ଡେକ୍ସ : ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆୟୋଜିତ ହେବାକୁଥିବା ଟି–୨୦ ମୁକାବିଲାକୁ ନେଇ କଟକ ସହରରେ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଏହି ମ୍ୟାଚ୍କୁ ସୁନିଶ୍ଚିତ ଓ ସୁବିଧାଜନକ ଯାତାୟାତ ଯୋଗାଇବା ପାଇଁ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ରୁଟ୍ରେ ‘ଆମ ବସ୍’ ସେବା ଚଳାନ୍ତୁ କରାଯାଇଛି।
ସୂଚନା ଅନୁଯାୟୀ, ଟି–୨୦ ମ୍ୟାଚ୍ ଦିନ କ୍ରିକେଟ୍ ପ୍ରେମୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବସ୍ ସେବା କେବଳ ସେହି ଦିନ ୨୦ ମିନିଟ୍ ବ୍ୟବଧାନରେ ଉପଲବ୍ଧ ହେବ। ଏହା ମାଧ୍ୟମରେ ଦର୍ଶକମାନେ ସହଜରେ ବାରବାଟୀ ଷ୍ଟାଡିୟମ ପହଞ୍ଚିପାରିବେ।CRUT ପକ୍ଷରୁ ଏ ସମ୍ପର୍କରେ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରାଯାଇ ସାଧାରଣଙ୍କୁ ସୂଚିତ କରାଯାଇଛି।
ଭିଡ଼ ଓ ଯାତାୟାତ ଜାମ୍କୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ, ମ୍ୟାଚ୍ଦିନ ଯାନବାହନ ଚାପ କମାଇବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି। ପ୍ରଶାସନ ପକ୍ଷରୁ କ୍ରିକେଟ୍ ପ୍ରେମୀଙ୍କୁ ବସ୍ ସେବାର ଅଧିକାଧିକ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି, ଯାହାଦ୍ୱାରା ସୁରକ୍ଷିତ ଓ ସୁଚାରୁ ଯାତାୟାତ ସୁନିଶ୍ଚିତ ହୋଇପାରିବ।

