ନ୍ୟୁଜ ଡେକ୍ସ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ନୀତିଗତ ଓ କୂଟନୈତିକ ସମାଧାନ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଧନ (କେଭି) ସିଂହଦେଓଙ୍କ ଅଧ୍ୟକ୍ଷତାରେ ୭ ଜଣିଆ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।
ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ମାଧ୍ୟମରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ରେ ଚାଲୁଥିବା ମାମଲା, ଆଇନଗତ ପ୍ରକ୍ରିୟା ଓ ଆଲୋଚନାକୁ ଦୃଷ୍ଟିରେ ରଖି ଏହି କମିଟି ଗଠନ କରାଯାଇଛି। ମହାନଦୀ ଜଳ ବିଷୟଟିର ଜଟିଳତା, ରାଜ୍ୟର ସ୍ୱାର୍ଥ ଓ ଭାବପ୍ରବଣତାକୁ ଗୁରୁତ୍ୱ ଦେଇ ସରକାର ଏହି ଉଚ୍ଚସ୍ତରୀୟ କମିଟିକୁ ସମସ୍ତ ପ୍ରାସଙ୍ଗିକ ଦିଗରେ ସମୀକ୍ଷା କରି ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବାର ଦାୟିତ୍ୱ ଦେଇଛନ୍ତି।
ଏହି କମିଟିରେ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର ଓ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ସଦସ୍ୟ ଭାବେ ସାମିଲ ରହିଛନ୍ତି। ଏହି ନିଷ୍ପତ୍ତିକୁ ମହାନଦୀ ଜଳ ବିବାଦ ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

