ନ୍ୟୁଜ ଡେକ୍ସ : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଜ୍ୟର କୃଷି ପରିସ୍ଥିତିକୁ ଆହୁରି ସୁଦୃଢ଼ କରିବା, କୃଷି ପ୍ରକଳ୍ପକୁ ଆଗକୁ ବଢ଼ାଇବା ଏବଂ ଡିଜିଟାଲ ପରିବର୍ତ୍ତନକୁ ଗତି ଦେବା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି।ପ୍ରଥମ ଏମଓୟୁଟି ଓଡ଼ିଶାରେ ଅଦା, ହଳଦୀ ଏବଂ ଶ୍ରୀଅନ୍ନ ମୂଲ୍ୟ ଶୃଙ୍ଖଳ ବିକାଶକୁ ସୁଦୃଢ଼ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ହେଫର ଇଣ୍ଟରନ୍ୟାସନାଲ ମଧ୍ୟରେ ସ୍ୱାକ୍ଷରିତ ହୋଇଛି।
ଏହି ଚୁକ୍ତି ମାଧ୍ୟମରେ ଅଦା, ହଳଦୀ ଓ ଶ୍ରୀଅନ୍ନ ଚାଷୀଙ୍କ ଆୟ ବୃଦ୍ଧି, ମୂଲ୍ୟ ଶୃଙ୍ଖଳ ବିକାଶ, କୃଷି ଆଧୁନିକୀକରଣ ଓ ବଜାର ସଂଯୋଗକୁ ପ୍ରୋତ୍ସାହନ ମିଳିବ।ଦ୍ୱିତୀୟ ଏମଓୟୁଟି ଓଡ଼ିଶାର ଡିଜିଟାଲ ମୋବାଇଲ୍ ଆଧାରିତ ସମ୍ପ୍ରସାରଣ ସେବା ଏବଂ “କୃଷି ସମୃଦ୍ଧି ହେଲ୍ପଲାଇନ୍”ର ପରିଚାଳନା, ରକ୍ଷଣାବେକ୍ଷଣ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ଏବଂ ମେସର୍ସ ତତ୍ତ୍ୱ ଟେକ୍ନୋଲୋଜି ଲିମିଟେଡ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଛି। ଏହା ମାଧ୍ୟମରେ ତୃଣମୂଳ ସ୍ତରରେ ମୋବାଇଲ୍-ଆଧାରିତ ଡିଜିଟାଲ କୃଷି ସେବା ପ୍ଲାଟଫର୍ମ କାର୍ଯ୍ୟକାରୀ ହେବ। ବାସ୍ତବ ସମୟ ଆଧାରିତ ଫସଲ ଓ ପାଣିପାଗ ପରାମର୍ଶ ମାଧ୍ୟମରେ କୃଷି କାର୍ଯ୍ୟ ଓ ପ୍ରସାରକୁ ଆହୁରି ଉନ୍ନତ କରାଯିବ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମତ୍ସ୍ୟ ଓ ପ୍ରାଣିସମ୍ପଦ ତଥା ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉପସ୍ଥିତିରେ ଏହି ଦୁଇଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି, ଏହି ଦୁଇଟି ଏମଓୟୁ ମାଧ୍ୟମରେ ଅପହଞ୍ଚ କୃଷକଙ୍କ ପାଖରେ ସରକାରୀ ସେବା ପହଞ୍ଚିବ ଓ ସମୟୋଚିତ ସହାୟତା ମିଳିପାରିବ।ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବାସ୍ତବ ସମୟ ଆଧାରିତ ପଶୁପାଳନ ପରାମର୍ଶ କିପରି ଚାଷୀ ଓ ପଶୁପାଳକମାନଙ୍କୁ ଲାଭ ଦେଉଛି, ସେଥିରେ ଆଲୋକପାତ କରିଥିଲେ।
କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ, “କୃଷି ସମୃଦ୍ଧି ହେଲ୍ପଲାଇନ୍” ହେଉଛି ଓଡ଼ିଶା ସରକାରଙ୍କ ଏକ ଟୋଲ୍-ଫ୍ରି ନମ୍ବର ଆଧାରିତ ପରାମର୍ଶ ସେବା, ଯାହା କୃଷକଙ୍କୁ ସହଜରେ ପ୍ରଯୁକ୍ତିକ ଏବଂ କୃଷି ପରାମର୍ଶ ଯୋଗାଇ ଦେଉଛି।ଏହି ଦୁଇଟି ଏମଓୟୁକୁ ଓଡ଼ିଶାର କୃଷି କ୍ଷେତ୍ରରେ ଡିଜିଟାଲ ନବସୃଜନ ଓ କୃଷକ ସଶକ୍ତିକରଣ ଦିଗରେ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।

