ନ୍ୟୁଜ ଡେକ୍ସ : ୟୁଟ୍ୟୁବର ଦମ୍ପତି ଗୁଲୁଆ–ବର୍ଷାଙ୍କ ପାରିବାରିକ କଳି ଏବେ ସାର୍ବଜନୀନ ରୂପ ନେଇଛି। ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ଏହି ବିବାଦ ମଧ୍ୟରେ ଶେଷରେ ପରକୀୟା ପ୍ରୀତିରେ ଥିବା କଥା ନିଜ ମୁହଁରେ ସ୍ୱୀକାର କରିଛନ୍ତି ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ। ଉଭୟ ଦମ୍ପତି ମୁହାଁମୁହିଁ ହୋଇ ପରସ୍ପର ଉପରେ ଆରୋପ–ପ୍ରତ୍ୟାରୋପ କରିଥିବାବେଳେ ଗୁଲୁଆଙ୍କ ଏହି ସ୍ୱୀକାରୋକ୍ତି ଘଟଣାକୁ ନୂଆ ମୋଡ଼ ଦେଇଛି।
ଏହାସହ ହାସ୍ୟ ଅଭିନେତା ଗୁଲୁଆ ନିଜ ଜୀବନକୁ ନେଇ ଭୟ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, ତାଙ୍କୁ ଥରେ ନୁହେଁ ଦୁଇଥର ନୁହେଁ, ତିନିଥର ହତ୍ୟା ଧମକ ମିଳିଛି। ପ୍ରଥମେ କୋଟିଏ ଟଙ୍କା ଦାବି କରାଯାଇଥିବାବେଳେ ପରେ ଦାଲାଲମାନେ ୫୦ ଲକ୍ଷ ଟଙ୍କାକୁ ଖସିଥିବା ସେ କହିଛନ୍ତି। ଟଙ୍କା ନଦେଲେ ସୋସିଆଲ ମିଡିଆରେ ବଦନାମ କରିବା ସହ ମିଛ କେସ ଦେଇ ସାରା ଜୀବନ ଜେଲରେ ପୁରାଇଦେବାକୁ ଧମକ ଦିଆଯାଇଥିବା ଗୁଲୁଆ ଅଭିଯୋଗ କରିଛନ୍ତି। ଧମକ ପାଇବା ପରେ ଗୁଲୁଆ ବାଲିଅନ୍ତା ଥାନା ସହ ଯୋଗାଯୋଗ କରିଥିବା କହିଛନ୍ତି। ହେଲେ ଧମକ ଦେଉଥିବା ଲୋକଙ୍କ ଯୋଗାଯୋଗ ସୂତ୍ର ସେଠାରେ ଥିବାରୁ ସେ ଅଧିକ ଭୟଭୀତ ହୋଇଥିବା ଜଣାଇଛନ୍ତି। ଏହି ଭୟରେ ସେ ରାଜଧାନୀ ଛାଡ଼ିଥିବା ସ୍ପଷ୍ଟ କରିଛନ୍ତି। ଯଦି ତାଙ୍କର କିଛି ଅଘଟଣ ଘଟେ, ତେବେ ସେହି ଧମକଦାତାମାନଙ୍କୁ ଦାୟୀ କରିଛନ୍ତି।
ଗୁଲୁଆ ଆଉ ଏକ ଭିଡିଓ ଜାରି କରି ଖୁବଶୀଘ୍ର ଧମକ ଦେଉଥିବା ଲୋକଙ୍କ ନାଁ ସାର୍ବଜନୀନ କରିବେ ବୋଲି କହିଛନ୍ତି। ତେବେ ଏପର୍ଯ୍ୟନ୍ତ ଗୁଲୁଆଙ୍କୁ କିଏ ଏମିତି ଧମକ ଦେଇଛି, ସେ ବାବଦରେ ସ୍ପଷ୍ଟ ତଥ୍ୟ ମିଳିନାହିଁ।

