ନ୍ୟୁଜ ଡେକ୍ସ : ଆଜି ବିଜୁ ଜନତା ଦଳ ତାହାର ୨୯ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆଡମ୍ବର ସହ ପାଳନ କରିଛି। ଏହି ଅବସରରେ ଶଙ୍ଖ ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଦଳର ସଭାପତି ନବୀନ ପଟ୍ଟନାୟକ ସମସ୍ତ ଓଡ଼ିଶାବାସୀ ଓ ଦଳୀୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇ ନିଜ ଅଭିଭାଷଣ ରଖିଥିଲେ।ନବୀନ କହିଥିଲେ, ବିଜୁ ଜନତା ଦଳ ଦେଶର ଏକ ସଫଳ ଆଞ୍ଚଳିକ ଦଳ। ୧୯୯୭ ମସିହାରୁ ବିଜୁ ବାବୁଙ୍କ ଆଦର୍ଶରେ ଦଳ ଓଡ଼ିଶାବାସୀଙ୍କ ସେବା କରିଆସୁଛି।
“ସେବା, ସ୍ୱାଭିମାନ ଓ ସଂଗ୍ରାମ ହେଉଛି ଆମର ମନ୍ତ୍ର ଏବଂ ବିକାଶ ହେଉଛି ଆମର ପରିଚୟ,” ବୋଲି ସେ କହିଥିଲେ। ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ସମୟକୁ ଓଡ଼ିଶା ବିକାଶ ଇତିହାସର ଏକ ସୁନାମ ଅଧ୍ୟାୟ ବୋଲି ଉଲ୍ଲେଖ କରି ନବୀନ କହିଥିଲେ ଯେ ବନ୍ୟା, ବିପର୍ଯ୍ୟୟ ଓ ବିଭିନ୍ନ ସମସ୍ୟା ସହ ଲଢ଼ି ରାଜ୍ୟକୁ ନୂଆ ପରିଚୟ ଦିଆଯାଇଛି।ସେ କହିଥିଲେ, ବିଜେଡି ସରକାର ମହିଳା ସଶକ୍ତିକରଣ, ଚାଷୀଙ୍କ ଆୟ ବୃଦ୍ଧି, BSKY ପରି ମାଗଣା ସ୍ୱାସ୍ଥ୍ୟ ସେବା, ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଯୁବଶକ୍ତିଙ୍କୁ ରୋଜଗାର ଦେବାରେ ସଫଳ ହୋଇଛି। ଏହି ଅବସରରେ ନବୀନ ପଟ୍ଟନାୟକ ବର୍ତ୍ତମାନର ଡବଲ୍ ଇଞ୍ଜିନ ସରକାରକୁ କଡ଼ା ସମାଲୋଚନା କରିଥିଲେ। ସେ ପ୍ରଶ୍ନ କରିଥିଲେ, “ଡବଲ୍ ଇଞ୍ଜିନ ସରକାର ଥିଲେ ବି ବିକାଶ କେଉଁଠି?”
ଚାଷୀ ସାର ପାଉନଥିବା, ମଣ୍ଡି ଖୋଲୁନଥିବା, ମିଶନ ଶକ୍ତି ମା’ମାନଙ୍କ ହଇରାଣ, ପରୀକ୍ଷା ପେପର ଲିକ୍, ଯୁବ ସମାଜର ହତାଶା, ଆଇନ ଶୃଙ୍ଖଳାର ଅବନତି ଓ ମହିଳା ସୁରକ୍ଷା ନେଇ ସେ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ।ବିଜେଡି ଭାଙ୍ଗିଯିବା ନେଇ ଚାଲିଥିବା ଗୁଜବକୁ ନବୀନ ସପାଟେ ଖଣ୍ଡନ କରି କହିଥିଲେ, ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱର ଭାବେ ସଦା ଛିଡ଼ା ହୋଇରହିବ ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିବ। ରାଜନୀତିରେ ଧୈର୍ଯ୍ୟ ରଖିବାକୁ ସେ ଆହ୍ୱାନ କରିଥିଲେ।ଭାଷଣର ଶେଷରେ ନବୀନ ପଟ୍ଟନାୟକ ସମସ୍ତ ଓଡ଼ିଶାବାସୀଙ୍କୁ ଆଗାମୀ ନୂତନ ବର୍ଷ ପାଇଁ ଶୁଭକାମନା ଓ ଅଭିନନ୍ଦନ ଜଣାଇଥିଲେ।

