Mon. Feb 23rd, 2026

ନ୍ୟୁଜ ଡେକ୍ସ : ଆଜିଠାରୁ ସକାଳେ ଏକ ଘଣ୍ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାର ବହିର୍ବିଭାଗ (OPD) ସେବା ବନ୍ଦ ରହିବ। ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଡାକ୍ତରମାନେ ଓପିଡିରେ ରୋଗୀ ଦେଖିବେ ନାହିଁ। ଏହା ସହିତ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ (NHM) ଅଧୀନରେ ହେଉଥିବା ସମସ୍ତ କାର୍ଯ୍ୟକୁ ମଧ୍ୟ ଏକ ଘଣ୍ଟା ପାଇଁ ବନ୍ଦ କରାଯିବ। ଏନେଇ ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍‌ସା) ପକ୍ଷରୁ ଘୋଷଣା କରାଯାଇଛି।ଓମ୍‌ସା ପକ୍ଷରୁ କୁହାଯାଇଛି ଯେ, ପୂର୍ବ ଘୋଷଣା ଅନୁଯାୟୀ ଆନ୍ଦୋଳନ ଜାରି ରହିବ।

ଏହି ଆନ୍ଦୋଳନ ଦ୍ୱାରା ସକାଳ ୧୦ରୁ ୧୧ଟା ଯାଏଁ ସମସ୍ତ ସରକାରୀ ଡାକ୍ତରଖାନାରେ OPD ସେବା ପ୍ରଭାବିତ ହେବ। ହେଲେ ଜରୁରୀକାଳୀନ ସେବା ସାଧାରଣଭାବେ ଚାଲୁ ରହିବ।ଏପଟେ, ଓମ୍‌ସା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସକାରାତ୍ମକ ଥିବା ରାଜ୍ୟ ସରକାର ପକ୍ଷରୁ କୁହାଯାଇଛି। ଦୁଇ ଦିନ ପୂର୍ବେ ଅନୁଷ୍ଠିତ ବୈଠକରେ ଓମ୍‌ସାର ଦାବିଗୁଡ଼ିକୁ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ସମସ୍ୟା ସମାଧାନ ପାଇଁ ଏକ କମିଟି ଗଠନ କରାଯିବ। କମିଟି ଦାବିଗୁଡ଼ିକର ଅନୁଧ୍ୟାନ କରି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବ। ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଓମ୍‌ସା ତାଙ୍କ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

କିନ୍ତୁ ଓମ୍‌ସା ପକ୍ଷରୁ କୁହାଯାଇଛି ଯେ, ନଭେମ୍ବର ୧୯ ତାରିଖରେ କମିଟି ଗଠନ କରିବା ନେଇ ନିଷ୍ପତ୍ତି ହୋଇଥିଲେ ହେଁ ଏପର୍ଯ୍ୟନ୍ତ ତାହାର କୌଣସି କାର୍ଯ୍ୟକାରୀ ପଦକ୍ଷେପ ନିଆଯାଇନାହିଁ। ଏହାକୁ ନେଇ ସଂଘର କର୍ମକର୍ତ୍ତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଓମ୍‌ସା କହିଛି, ଦାବିଗୁଡ଼ିକ ଉପରେ ସ୍ପଷ୍ଟ ଓ ଲିଖିତ ନିଷ୍ପତ୍ତି ନ ହେଉଅଯାଏଁ ଆନ୍ଦୋଳନ ଜାରି ରହିବ।

Leave a Reply

Your email address will not be published. Required fields are marked *