ନ୍ୟୁଜ ଡେକ୍ସ : ନୂଆବର୍ଷ ଅବସରରେ ପୁରୀ ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ନୂଆବର୍ଷ ଆରମ୍ଭ କରିବାକୁ ଭକ୍ତମାନେ ପୁରୀମୁଖୀ ହେଉଥିବାରୁ, ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି।୩ରୁ ୫ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ।
ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ୧୦ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୩୩ ଉପଆରକ୍ଷୀ ଅଧୀକ୍ଷକ, ୬୨ ଇନ୍ସପେକ୍ଟର ଓ ୨୪୫ ସବ୍ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରାଞ୍ଚଳ ପୁଲିସ ଡିଆଇଜି ଶୁକ୍ରବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ଟ୍ରାଫିକ୍ ପରିଚାଳନା, ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି।ବଡ଼ଦାଣ୍ଡରେ ବଗଲା ଧର୍ମଶାଳାଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ଶ୍ରଦ୍ଧାଳୁମାନେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଏବଂ ଦର୍ଶନ ପରେ ଉତ୍ତରଦ୍ବାର, ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାର ଦେଇ ପ୍ରସ୍ଥାନ କରିବେ।
ଜାନୁଆରୀ ୧ ତାରିଖରୁ ଅତ୍ୟଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଛଡ଼ାଯିବ। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ନିଃଶୁଳ୍କ ଜୋତା ଓ ମୋବାଇଲ ଷ୍ଟାଣ୍ଡ୍, ଭ୍ରାମ୍ୟମାଣ ଶୌଚାଳୟ ଏବଂ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଦଳାଚକଟା ପରିସ୍ଥିତି ଏଡ଼ାଇବାକୁ ଶ୍ରୀମନ୍ଦିର ଭିତର ବେଢ଼ା, ନାଟମଣ୍ଡପ ଓ ଜଗମୋହନରେ କୁଇକ୍ ରେସ୍ପନ୍ସ ଟିମ୍ ମୁତୟନ ହେବେ। ଜରୁରୀ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ରହିବେ। ସିଂହଦ୍ବାର ସମ୍ମୁଖରେ ଆମ୍ବୁଲାନ୍ସ ଓ ଡାକ୍ତରୀ ଦଳ ମୁତୟନ ହେବେ।ମନ୍ଦିର ଚତୁଃପାର୍ଶ୍ବରେ ପୁଲିସ ସହାୟତା କେନ୍ଦ୍ର ଖୋଲାଯିବ। ରାଜ୍ୟ ବାହାରୁ ଆସୁଥିବା ଟୁରିଷ୍ଟ ଗାଡ଼ିଗୁଡ଼ିକ ମାଳତିପାଟପୁର ବସ୍ ଟର୍ମିନାଲରେ ପାର୍କିଂ କରିବେ।
ସମଙ୍ଗ, ତାଳବଣିଆ, ମଙ୍ଗଳାଘାଟ ଓ ମଶାଣିଚଣ୍ଡୀ ନିକଟରେ ଅସ୍ଥାୟୀ ପାର୍କିଂ ବ୍ୟବସ୍ଥା କରାଯାଇଛି।ସମୁଦ୍ରତଟରେ ପର୍ଯ୍ୟଟକ ଓ ଭକ୍ତଙ୍କ ସୁରକ୍ଷା ପାଇଁ ୨୦୦ ଲାଇଫ୍ ଗାର୍ଡ ମୁତୟନ ହେବେ। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସମେତ ମାର୍କେଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ‘ନୋ-ଭେହିକିଲ୍ ଜୋନ୍’ ଘୋଷଣା କରାଯାଇଛି। ତୀର୍ଥ ପୁଷ୍କରିଣୀଗୁଡ଼ିକରେ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକ ଓ ଭକ୍ତମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

