ନ୍ୟୁଜ ଡେକ୍ସ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୫୨୦ର ଡେଥ୍ ଜୋନ୍ ଭାବେ ପରିଚିତ କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟି ଅଞ୍ଚଳରେ ଦୁଇଟି ଭାରୀ ଯାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଡ୍ରାଇଭର ପ୍ରାଣ ହରାଇଛନ୍ତି।ସୂଚନା ଅନୁସାରେ, ମଧ୍ୟରାତ୍ରି ସମୟରେ କୁନ୍ଦୁରୁପାଣି ଛକ ନିକଟରେ ଲୁହା ପଥର ବୋଝେଇ ହାଇୱା ଓ କୋଇଲା ବୋଝେଇ ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା।
ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଟ୍ରକରେ ନିଆଁ ଲାଗିଯାଇଥିଲା, ଫଳରେ ଦୁଇ ଚାଳକ ଯାନ ଭିତରେ ଫସି ଯାଇଥିଲେ।ଖବର ପାଇ କେ. ବଲାଙ୍ଗ ପୋଲିସ କୋଇଡା ଅଗ୍ନିଶମ ବାହିନୀଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ଡାକିଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ନିଆଁକୁ ଆୟତ୍ତ କରିଥିଲେ। ପରେ କଟର୍ ମାଧ୍ୟମରେ ଯାନକୁ କାଟି ଦୁଇ ଚାଳକଙ୍କ ମୃତଦେହକୁ ବାହାର କରାଯାଇଥିଲା।
ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥ ୫୨୦ରେ କିଛି ସମୟ ପର୍ଯ୍ୟନ୍ତ ଗାଡ଼ିମାନଙ୍କ ଲମ୍ବା ଲାଇନ୍ ଲାଗିଥିଲା, ଯାହାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ସାମାନ୍ୟ କରିବା ସହ ଘଟଣାର ସବିଶେଷ ତଦନ୍ତ ଆରମ୍ଭ କରିଛି। ମୃତଦେହଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ବେଳେ, ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବାକୁ ତଦନ୍ତ ଜାରି ରହିଛି।

