Sun. Feb 22nd, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱରସ୍ଥ କିସ୍‍ ବିଶ୍ୱବିଦ୍ୟାଳୟରେ ଭାରତୀୟ ରାଜନୀତି ବିଜ୍ଞାନର ମହାକୁମ୍ଭ ଆରମ୍ଭ ହୋଇଛି। କିସ୍‍ ଓ ଭାରତୀୟ ରାଜନୀତି ବିଜ୍ଞାନ ସଂଘର ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ୬୨ତମ ସର୍ବ ଭାରତୀୟ ରାଜନୀତି ବିଜ୍ଞାନ ସମ୍ମିଳନୀ ଓ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‍ଘାଟିତ ହୋଇଛି। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ୩ ହଜାରରୁ ଊର୍ଦ୍ଧ୍ୱ ରାଜନୀତି ବିଜ୍ଞାନୀ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି।ସମ୍ମିଳନୀ ସହ ‘ଉଇ ଦି ପିପଲ୍‍ ଅଫ୍‍ ଭାରତ’ ଶୀର୍ଷକ ଉପରେ ଏକ ଆନ୍ତର୍ଜାତୀୟ ଆଲୋଚନାଚକ୍ର ମଧ୍ୟ ଆରମ୍ଭ ହୋଇଛି।

ସମ୍ମିଳନୀରେ ସଭାପତିତ୍ୱ କରି ଭାରତୀୟ ରାଜନୀତି ବିଜ୍ଞାନ ସଂଘର ସଭାପତି ତଥା ବିକାନେରସ୍ଥିତ ମହାରାଜା ଗଙ୍ଗାସିଂହ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମନୋଜ ଦୀକ୍ଷିତ ୨୦୪୭ ମସିହା ସୁଦ୍ଧା ଭାରତକୁ ବିଶ୍ୱର ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ରାଜନୀତି ବିଜ୍ଞାନୀଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ, ଭାରତର ବିକାଶକୁ ଅଟକାଇବା ପାଇଁ ସବୁବେଳେ କିଛି ପାଶ୍ଚାତ୍ୟ ରାଷ୍ଟ୍ର ହସ୍ତକ୍ଷେପ କରିବାକୁ ପ୍ରୟାସ କରୁଛନ୍ତି, କିନ୍ତୁ ଭାରତ ନିଜସ୍ୱ ମାର୍ଗରେ ଅଗ୍ରସର ହୋଇ ଏହାକୁ ପ୍ରତିହତ କରୁଛି। ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ଦୀର୍ଘ ସମୟ ଧରି ସୃଷ୍ଟି ହୋଇଥିବା ‘ବିକଶିତ ରାଷ୍ଟ୍ର’ର ପରିଭାଷାକୁ ଭାରତ ଚ୍ୟାଲେଞ୍ଜ କରୁଥିବାରୁ ଏହା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ସେ ମତ ପ୍ରକାଶ କରିଥିଲେ। ସମ୍ମିଳନୀରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ୩୦ରୁ ଊର୍ଦ୍ଧ୍ୱ କୁଳପତି, ଅବସରପ୍ରାପ୍ତ କୁଳପତି, ବିଭାଗ ମୁଖ୍ୟ, ଅଧ୍ୟାପକ ଓ ଗବେଷକମାନେ ଯୋଗ ଦେଇଛନ୍ତି।

ଏହି ଅବସରରେ ରାଜନୀତି ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା।ଉଦ୍‍ଘାଟନୀ ଉତ୍ସବରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଭାରତୀୟ ରାଜନୀତି ବିଜ୍ଞାନ ସଂଘର ସାଧାରଣ ସମ୍ପାଦକ ଓ କୋଷାଧ୍ୟକ୍ଷ ପ୍ରଫେସର ସଞ୍ଜୀବ କୁମାର ଶର୍ମା, ସିକିମ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏସ୍‍ କେ ସ୍ୱାଇଁ, ମହାତ୍ମାଗାନ୍ଧୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶ୍ରୀବାସ୍ତବ, ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜେ.କେ. ପଟ୍ଟନାୟକ ଓ କିସ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର କାଶୀନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *