Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ପ୍ରବଳ ଶୀତ ଲହରି ଜାରି ରହିଛି। ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ଭୀଷଣ ଥଣ୍ଡା ଜନଜୀବନକୁ ଅସ୍ଥିର କରିଦେଇଛି। ସକାଳୁ ସକାଳେ ଲୋକେ ଘରୁ ବାହାରିବାକୁ ଅସୁବିଧା ଅନୁଭବ କରୁଛନ୍ତି। ଦିନ ତମାମ ଶୀତ ପୋଷାକ ପିନ୍ଧି ରହିବାକୁ ପଡ଼ୁଥିବା ବେଳେ, ସକାଳେ ସକାଳେ ନିଆଁ ଛାଡ଼ି ଲୋକେ ନିଜକୁ ଗରମ ରଖୁଛନ୍ତି।

ମୌସମ ବିଭାଗ ସୂଚନା ଅନୁସାରେ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବୃହତ୍ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଅର୍ଥାତ ରାଜ୍ୟରେ ଭୀଷଣ ଶୀତ ପ୍ରବାହ ଜାରି ରହିବ। ପ୍ରବଳ ଥଣ୍ଡା ସହିତ କିଛି ଅଞ୍ଚଳରେ ଘନ କୁହୁଡ଼ି ମଧ୍ୟ ଦେଖାଦେଉଛି।ଗତ ୨୪ ଘଣ୍ଟାରେ ଫୁଲବାଣୀ, ରାଉରକେଲା ଓ ଢେଙ୍କାନାଳ ଅଞ୍ଚଳରେ ଘନ କୁହୁଡ଼ି ହେତୁ ଯାତାୟାତ ଓ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଆଜି ଓ ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାକୁ ଘନ କୁହୁଡ଼ି ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଘନ କୁହୁଡ଼ି ଓ ପ୍ରବଳ ଶୀତ ଯୋଗୁଁ ସାଧାରଣ ଜୀବନ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ମୌସମ ବିଭାଗ ଲୋକମାନଙ୍କୁ ସତର୍କ ରହିବା ସହ ଆବଶ୍ୟକ ନହେଲେ ସକାଳ ବେଳେ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *