ନ୍ୟୁଜ ଡେକ୍ସ : ଇଂରାଜୀ ନୂଆବର୍ଷ ଅବସରରେ ରାତି ୧୨ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲି ଦର୍ଶନ ବ୍ୟବସ୍ଥା କରାଯିବାକୁ ନେଇ ବିରୋଧ ପ୍ରକାଶ ପାଇଛି। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମହେଶ ସାହୁ ଗଜପତି ମହାରାଜାଙ୍କୁ ଏକ ଚିଠି ଲେଖିଛନ୍ତି। ସେହିପରି ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମଧ୍ୟ ଏହି ବିଷୟରେ ଚିଠି ପ୍ରେରଣ କରିଛନ୍ତି।ଚିଠିରେ ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି ଯେ, ରାତି ୧୨ଟାରେ ନୂତନ ଦିନର ଆରମ୍ଭ ପାଶ୍ଚାତ୍ୟ ସଂସ୍କୃତିର ଧାରଣା।
କିନ୍ତୁ ସନାତନ ସଂସ୍କୃତି ଅନୁସାରେ ସୂର୍ଯ୍ୟୋଦୟ ସହିତ ନୂତନ ଦିନର ଆରମ୍ଭ ହୁଏ। ଏହି କାରଣରୁ ସନାତନ ପରମ୍ପରା ଓ ନୀତିକୁ ସମ୍ମାନ ଦେଇ ସୂର୍ଯ୍ୟୋଦୟ ସମୟରେ ଶ୍ରୀମନ୍ଦିର ଦ୍ୱାର ଖୋଲାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।ଶ୍ରୀ ସାହୁ ଚିଠିରେ ଆହୁରି ଲେଖିଛନ୍ତି ଯେ, ଆମ ସୁବିଧା ପାଇଁ ନୀତି ଓ ପରମ୍ପରାରେ ବ୍ୟତିକ୍ରମ କରି ମହାପ୍ରଭୁଙ୍କୁ ରାତିରେ ଅନିଦ୍ରା ରଖି ଦର୍ଶନ ବ୍ୟବସ୍ଥା କରିବା ଉଚିତ୍ ନୁହେଁ।
ପହିଲି ଭୋଗ ନୀତି ପାଇଁ ଏମିତିରେ ମନ୍ଦିର ଦ୍ୱାର ଶୀଘ୍ର ଖୋଲୁଥିବାରୁ ମହାପ୍ରଭୁଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ଦେବା ନିହାତି ଜରୁରି ବୋଲି ସେ ମତ ପ୍ରକାଶ କରିଛନ୍ତି। ସେ ଭକ୍ତ ସମାଜଙ୍କୁ ମଧ୍ୟ ଅନୁରୋଧ କରି କହିଛନ୍ତି ଯେ, ରାତି ଅଧରେ ମନ୍ଦିର ଯିବା ପ୍ରତି ବଦଳରେ ନିୟମିତ ଦିନକାଳୀନ ସମୟରେ ଦର୍ଶନ କରିବାକୁ ଆସନ୍ତୁ ଏବଂ ଶ୍ରୀମନ୍ଦିରର ପାରମ୍ପରିକ ନୀତି-ନିୟମକୁ ସମ୍ମାନ ଦିଅନ୍ତୁ।

