Sun. Feb 22nd, 2026

ନ୍ୟୁଜ ଡେକ୍ସ : ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଘଟଣା ପରେ ତାହାର ପ୍ରଭାବ ଭାରତର ବିଭିନ୍ନ ସ୍ଥାନରେ ପଡ଼ିଥିବା ଦେଖିବାକୁ ମିଳିଛି। ଦେଶର ଅନେକ ରାଜ୍ୟରେ ବାଂଲାଦେଶୀ ନାଗରିକଙ୍କ ଉପରେ ଆକ୍ରମଣ ସମ୍ପର୍କିତ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଓଡ଼ିଶାରେ ମଧ୍ୟ ଏଭଳି କିଛି ଘଟଣା ସାମ୍ନାକୁ ଆସିଥିବାରୁ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିଛି।

ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ ବେଆଇନ ଭାବେ ଦେଶକୁ ପ୍ରବେଶ କରିବା ଭୁଲ, କିନ୍ତୁ ଏହାର ନାମରେ କେହି ଆଇନକୁ ହାତକୁ ନେବା ଉଚିତ୍ ନୁହେଁ। ଆଇନ ମନ୍ତ୍ରୀ କହିଛନ୍ତି ଯେ ଏପରି ଅବିବେକପୂର୍ଣ୍ଣ କାର୍ଯ୍ୟକଳାପକୁ ସରକାର କେବେ ବି ସମର୍ଥନ କରେ ନାହିଁ। “କିଏ କଣ କହୁଛି, ସେଥିରେ ସରକାରଙ୍କର କିଛି ଯାଆଆସେ ନାହିଁ। ବିଜେପି ସରକାର ଆଇନ ଓ ସଂବିଧାନ ଅନୁସାରେ କାମ କରେ,” ବୋଲି ସେ କହିଛନ୍ତି। ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଯେଉଁମାନେ ଆଇନ ଦୃଷ୍ଟିରୁ ଭାରତର ନାଗରିକ ନୁହଁନ୍ତି ଏବଂ ବେଆଇନ ଭାବେ ଦେଶକୁ ପ୍ରବେଶ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରି ଆଇନସମ୍ମତ ପ୍ରକ୍ରିୟାରେ ତାଙ୍କ ଦେଶକୁ ପଠାଯିବ। ଏହି କାର୍ଯ୍ୟ ଆଗାମୀ ଦିନରେ ଆହୁରି କଠୋର ଭାବେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ତେବେ ଆକ୍ରମଣ ଓ ହିଂସାକୁ ନେଇ ସରକାର କଠୋର ଭାବେ ସତର୍କ କରାଇଛନ୍ତି। “ଯିଏ ବି ଆଇନକୁ ହାତକୁ ନେବ, ସେ ଯେ କେହି ବି ହେଉ, ତାଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ପୋଲିସ ଏହି ମାମଲାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବ,” ବୋଲି ସରକାର ସ୍ପଷ୍ଟ କରିଛନ୍ତି।ରାଜ୍ୟ ସରକାର ଲୋକମାନଙ୍କୁ ଶାନ୍ତ ରହିବାକୁ ଏବଂ କୌଣସି ପ୍ରକାର ଆଇନବିରୋଧୀ କାର୍ଯ୍ୟରେ ଲିପ୍ତ ନ ହେବାକୁ ଅପିଲ କରିଛନ୍ତି। ସମସ୍ୟାର ସମାଧାନ ଆଇନ ଓ ପ୍ରଶାସନ ମାଧ୍ୟମରେ ହେବ, ଲୋକେ ନିଜେ ହାତକୁ କିଛି ନେବା ଉଚିତ୍ ନୁହେଁ ବୋଲି ସରକାର ପକ୍ଷରୁ ଜଣାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *