Sun. Feb 22nd, 2026

ନ୍ୟୁଜ ଡେକ୍ସ : ଇଂରାଜୀ ନବବର୍ଷ ଉପଲକ୍ଷେ ଆସନ୍ତା ୩୧ ତାରିଖ ଓ ଜାନୁଆରୀ ୧ ତାରିଖରେ ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଗହଳି ଓ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଏହାର ଅଂଶ ସ୍ୱରୂପ ଶ୍ରୀମନ୍ଦିରର ଧ୍ୱଜା ବନ୍ଧା ନୀତି ଅପରାହ୍ଣ ୩ଟା ସୁଦ୍ଧା ଶେଷ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଜାରି କରିଛନ୍ତି।

ଏହି ନିର୍ଦ୍ଦେଶ ଅନୁଯାୟୀ, ଧ୍ୱଜା ବନ୍ଧା ସେବା ପ୍ରଦାନ କରୁଥିବା ଚୁନରା ସେବକମାନଙ୍କୁ ସୂଚିତ କରାଯାଇଛି ଯେ ଅପରାହ୍ଣ ସମୟରେ କମ୍ ଗହଳି ମଧ୍ୟରେ ସୁରକ୍ଷିତ ଓ ସୁଚାରୁ ଭାବେ ନୀତି ସମ୍ପନ୍ନ କରାଯିବ। ଏହି ଲକ୍ଷ୍ୟରେ ଅପରାହ୍ଣ ସାଢ଼େ ୧ଟା ସୁଦ୍ଧା ଧ୍ୱଜା ବନ୍ଧା ପାଇଁ ରସିଦ କରାଯିବ ଏବଂ ୧ଟା ୪୫ ସୁଦ୍ଧା ଧ୍ୱଜାଗୁଡ଼ିକୁ ଚୁନରା ପାଳିଆ ସେବକଙ୍କୁ ହସ୍ତାନ୍ତର କରିବା ପାଇଁ ଲେଙ୍କା ସେବକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ଘଣ୍ଟି ଦ୍ୱାର ମାର୍ଗରେ ଶ୍ରୀମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ସୁଗମ କରିବା ସହ ଗହଳି ନିୟନ୍ତ୍ରଣ ପାଇଁ ଚୁନରା ସେବକମାନଙ୍କୁ କୌଣସି ଉଲାଗି ଧ୍ୱଜା ଗାରଦ ପଶ୍ଚାତ ଭାଗରେ ବିକ୍ରୟ ନ କରିବାକୁ କଠୋର ଭାବେ ବାରଣ କରାଯାଇଛି।

ଏହି ନିୟମ ଅନୁସରଣ ନିଶ୍ଚିତ କରିବାକୁ ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜରମାନଙ୍କୁ ବିଶେଷ ଦାୟିତ୍ୱ ଦିଆଯାଇଛି। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏହି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚୁନରା ସେବକମାନଙ୍କର ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ କରିବା ସହ କୌଣସି ପ୍ରକାର ବ୍ୟତିକ୍ରମ ଗ୍ରହଣୀୟ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *