Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଇଂରାଜୀ ନୂଆବର୍ଷ ପାଳନ ଉପରେ କଡା ରୋକ୍‌ ଲଗାଇଛନ୍ତି। ଇଂରାଜୀ ନୂଆବର୍ଷ ଦିନ କୌଣସି ପ୍ରକାର ଭୋଜିଭାତ, କେକ୍‌ କଟା, ପାର୍ଟି କିମ୍ବା ଉତ୍ସବ ପାଳନ କରାଯିବ ନାହିଁ। ଏହି ଦିନକୁ ସାଧାରଣ କାର୍ଯ୍ୟ ଦିବସ ଭାବେ ଗଣନା କରାଯିବ ଏବଂ ସମସ୍ତ ସରକାରୀ କର୍ମଚାରୀ ନିୟମିତ କାର୍ଯ୍ୟରେ ନିଯୁକ୍ତ ରହିବେ।ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଇଂରାଜୀ ନୂଆବର୍ଷ ଦିନ ସାଧାରଣ କାର୍ଯ୍ୟ ଦିବସ ଭାବେ ସରକାରୀ କାର୍ଯ୍ୟ କରିବେ।

ଏହାସହିତ ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ଇଂରାଜୀ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ପାଇଁ କେହି ବ୍ୟକ୍ତିଗତ ଭାବେ କାର୍ଯ୍ୟାଳୟକୁ ନ ଆସିବାକୁ ଅନୁରୋଧ କରାଯାଇଛି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ, ସରକାରୀ କାର୍ଯ୍ୟାଳୟଗୁଡ଼ିକୁ କୌଣସି ପ୍ରକାର ଇଂରାଜୀ ନୂଆବର୍ଷ ପାଳନର ସ୍ଥଳୀ କରିବାକୁ ଦିଆଯିବ ନାହିଁ। ବ୍ୟକ୍ତିଗତ ସୌଜନ୍ୟମୂଳକ ସମ୍ଭାଷଣ ବ୍ୟତୀତ ଯେକୌଣସି ପ୍ରକାର ଉତ୍ସବ, ଭେଟଘାଟ୍‌, ଭୋଜିଭାତ, ପାର୍ଟି ଆଦିକୁ ସରକାରୀ କାର୍ଯ୍ୟାଳୟ ପରିସରରେ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ନେଇ ସାଧାରଣ ମହଳରେ ବେଶ୍‌ ଆଲୋଚନା ଚାଲିଛି। ପୂର୍ବରୁ ଇଂରାଜୀ ନୂଆବର୍ଷ ଦିନ ସରକାରୀ କାର୍ଯ୍ୟାଳୟରେ ଅଘୋଷିତ ଛୁଟି ଭଳି ପରିସ୍ଥିତି ଦେଖାଯାଉଥିଲା। କାର୍ଯ୍ୟାଳୟ ଖୋଲା ରହିଲେ ବି କର୍ମଚାରୀମାନେ ଉତ୍ସବ ପାଳନରେ ବ୍ୟସ୍ତ ରହୁଥିଲେ।ଏପଟେ ଇଂରାଜୀ ନୂଆବର୍ଷ ଅବସରରେ ମହାପ୍ରଭୁଙ୍କ ପହଡ଼ ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ୩୧ ତାରିଖ ରାତି ୧୧ଟାରୁ ୨ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *