ନ୍ୟୁଜ ଡେକ୍ସ: ରାଜ୍ୟରେ ଏନଇପି ଲାଗୁ ଏବଂ ନୂଆ ସିଲାବସ୍ ନେଇ ପିଲାଙ୍କ ମନରେ ଦ୍ବନ୍ଦ୍ବ ରହିଥିବା ବେଳେ ଏନେଇ ଆଜି ସ୍ପଷ୍ଟିକରଣ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏ ବର୍ଷ ଏପ୍ରିଲରେ ରାଜ୍ୟରେ ଏନଇପି ଲାଗୁ ନେଇ ଚର୍ଚ୍ଚାରେ ମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁହେବ ନୂଆ ସିଲାବସ୍ ।
ପ୍ରଥମେ ଏନଇପି ଲାଗୁ ପରେ ସିଲାବସ୍ ପରିବର୍ତ୍ତନ ପାଇଁ କମିଟି ହୋଇଛି । ନୂଆ ସିଲାବସ୍ ପରିବର୍ତ୍ତନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ପାଠ୍ୟ ଖସଡା ବଦଳିବ । ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ଏହି ନୂଆ ସିଲାବସ୍ ଆସିବ । ଏନେଇ କମିଟି ତର୍ଜମା କରୁଛି, ରାଜ୍ୟ ପାଇଁ ଯାହା ଠିକ୍ ହେବ ତାହା ତାହା ସ୍ଥାନ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ସ୍କୁଲ ପିଲାଙ୍କ ଆଡମିଶନକୁ ନେଇ ଥିବା ଦ୍ବନ୍ଦ୍ବ ଦୂର କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମାର୍ଚ୍ଚ ୩୧ ନୁହେଁ ସେପ୍ଟେମ୍ବର ପହିଲା ସୁଦ୍ଧା ୬ ବର୍ଷ ହେବା ଜରୁରୀ ।
ସେ କହିଛନ୍ତି କେନ୍ଦ୍ରର ନିୟମ ଅନୁସାରେ ୩୧ ମାର୍ଚ୍ଚ ସୁଦ୍ଧା ପିଲାଙ୍କୁ ୬ ବର୍ଷ ହେଲେ ଆଡମିଶନ ନେଇପାରିବେ । କିନ୍ତୁ ଓଡ଼ିଶାରେ ଏହି ନିୟମକୁ କୋହଳ କରାଯାଇଛି । ମାର୍ଚ୍ଚ ୩୧ ନୁହେଁ ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷ ହେଲେ ସ୍କୁଲରେ ନାମ ଲେଖାଇ ପାରିବେ । କେହି ପିଲା ଯେପରି ପାଠପଢାରୁ ବଂଚିତ ନ ହୁଅନ୍ତି ସେ ନେଇ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମନ୍ତ୍ରୀ । କିଛି ଦିନ ହେଲା ୬ ବର୍ଷରେ ପିଲାଙ୍କ ଆଡମିଶନକୁ ନେଇ ଅଭିଭାବକଙ୍କ ମଧ୍ୟରେ ଦେଖାଦେଇଥିଲା ଦ୍ବନ୍ଦ୍ବ ।
