ନ୍ୟୁଜ ଡେସ୍କ: ୨୦୨୨ର OPSC ପରୀକ୍ଷାରେ କମାଲ୍ କଲେ ବଣ୍ଡାଘାଟି ଝିଅ ବିନି ମୁଦୁଲି। ଓଡ଼ିଶା ପ୍ରଶାସନିକ ପରୀକ୍ଷାରେ ପ୍ରଥମ ଥର ପାଇଁ କୃତକାର୍ଯ୍ୟ ହୋଇ ଅଞ୍ଚଳରେ ଇତିହାସ ରଚିଛନ୍ତି। ସେ ୫୯୬ ନମ୍ୱର ରାଙ୍କ ରଖିଛନ୍ତି। ରେଜଲ୍ଟ ପ୍ରକାଶ ପାଇବା ପରେ ବିନି ମୁଦୁଲି ଖୁସି ପ୍ରକାଶ କରିଛନ୍ତି।
ଆଉ ଏହି ସଫଳତାର ଶ୍ରେୟ ବାପା-ମାଆ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି। ପିଲାବେଳୁ ଜଣେ ଅଫିସର ହେବା ପାଇଁ ଇଚ୍ଛା ଥିଲା କିନ୍ତୁ ଅର୍ଥ ସାଜିଥିଲା ବାଧକ । ଶେଷରେ ଆଶାର ବାଡି ସାଜିଲା ୟୁଟ୍ୟୁବ । ୟୁଟ୍ୟୁବରୁ ପାଠ ପଢି ଆଜି ସେ ପଙ୍କରୁ ପଦ୍ମ ହୋଇ ଫୁଟିଛନ୍ତି । ଆଜ୍ଞା ହଁ ଆମେ କହୁଛୁ ମାଲକାନଗିରି ବଣ୍ଡାଘାଟିର ଝିଅ ବିନି ମୁଦୁଲି । ଓପିଏସସି ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଇତିହାସ ରଚିଛନ୍ତି ବିନି । ତୃତୀୟ ଥରରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୫୯୬ ରାଙ୍କ ରଖି ଏହି ସଫଳତା ପାଇଛନ୍ତି ବିନି । ବଣ୍ଡାଘାଟିର ଝିଅ ଭାବରେ ବିନି ହେଉଛନ୍ତି ପ୍ରଥମ ଝିଅ ଯେ ଏହି ସ୍ତରରେ ପହଞ୍ଚିଛନ୍ତି ।ବିନିଙ୍କ ବାପା ରାମ ମୁଦୁଲି ମୁଦୁଲିପଡ଼ା ହାଇସ୍କୁଲରେ ରୋଷେୟା ଭାବେ କାମ କରୁଛନ୍ତି ଆଉ ତାଙ୍କ ମାଆ ସୁନାମଣୀ କିରସାନୀ ଅଙ୍ଗନବାଡ଼ି କର୍ମୀ ଭାବେ କାମ କରୁଛନ୍ତି। ବଣ୍ଡାଘାଟିର ପ୍ରାଥମିକ ବିଦ୍ୟାଳୟରୁ ପାଠପଢ଼ା ଆରମ୍ଭ କରି ପରେ ମାଲକାନଗିରି ଜବାହର ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଥିଲେ ବିନି ।
ସେଠାରେ ସେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ି ପରେ ଜୟପୁର ବିକ୍ରମଦେବ ମହାବିଦ୍ୟାଳୟରେ ନାମ ଲେଖି ବିଏ ପାସ୍ କରିଥିଲେ। ଗ୍ରାଜୁଏସନ ପାସ୍ କଲାପରେ ବିନି ଆଗକୁ ଆଉ ପଢିବାକୁ ଚାହୁଁଥିଲେ ମଧ୍ୟ ଅର୍ଥ ଅଭାବରୁ ସେ ଆଉ ଆଗକୁ ପଢିପାରିନଥିଲେ । ଶେଷରେ ୟୁଟ୍ୟୁବରୁ ଓପିଏସସି ପରୀକ୍ଷା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ବିନି । ଅନଲାଇନ କ୍ଲାସ କରି ୨ଥର ପରୀକ୍ଷା ଦେଇ ମଧ୍ୟ କୃତକାଯ୍ୟ ହୋଇପାରିନଥିଲେ । ଶେଷରେ ତୃତୀୟ ଥରରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୨ରେ ୫୯୬ ରାଙ୍କ ରଖି ଏହି ସଫଳତା ପାଇଛନ୍ତି ବିନି ।