Sat. Feb 21st, 2026

ନ୍ୟୁଜ ଡେକ୍ସ : ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା–୨୦୨୫ ପାଇଁ ପ୍ରକାଶିତ ପ୍ରଥମ ବିଜ୍ଞପ୍ତିକୁ ନେଇ ଆଶାୟୀମାନଙ୍କ ମଧ୍ୟରେ ହୋଇଥିବା ଅସନ୍ତୋଷ ପରେ ବଡ଼ ଖବର ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତୁରନ୍ତ ହସ୍ତକ୍ଷେପ ପରେ ଓଡିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ସାନି ବିଜ୍ଞପ୍ତି ଜାରି କରାଯାଇଛି।

ଏଥିରେ OAS ଓ ORS ସମେତ ବିଭିନ୍ନ କ୍ୟାଡରରେ ସମୁଦାୟ ୧୫୧ଟି ଅଧିକ ପଦବୀ ସାମିଲ କରାଯାଇଛି।ସାନି ବିଜ୍ଞପ୍ତି ଅନୁସାରେ, ଓଡିଶା ପ୍ରଶାସନିକ ସେବା (OAS)ରେ ୧୪ଟି, ଓଡିଶା ରାଜସ୍ୱ ସେବା (ORS)ରେ ୧୧୩ଟି, ଓଡିଶା ପରିବହନ ସେବା (OTS)ରେ ୧୬ଟି ଏବଂ ଓଡିଶା ମଙ୍ଗଳ ସେବା (OWS)ରେ ୮ଟି ପଦବୀ ପୂରଣ ପାଇଁ ଅନୁମୋଦନ ମିଳିଛି।ଉଲ୍ଲେଖଯୋଗ୍ୟ ଯେ, ନିକଟରେ OPSC ପକ୍ଷରୁ ପ୍ରକାଶିତ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା–୨୦୨୫ ବିଜ୍ଞପ୍ତିରେ OAS, ORS ପରି ମୁଖ୍ୟ କ୍ୟାଡରରେ ପଦବୀ ନ ଥିବାରୁ ଆଶାୟୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଏହି ମାମଲା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଗୋଚର ହେବା ପରେ ସେ ତୁରନ୍ତ ସମୀକ୍ଷା କରି ଖାଲି ପଦବୀ ପୂରଣ ପାଇଁ OPSCକୁ ନିର୍ଦ୍ଦେଶ ଦେଇଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଗତ ୧୮ ମାସରେ ପ୍ରାୟ ୪୦ ହଜାର ସରକାରୀ ପଦବୀ ପୂରଣ ହୋଇସାରିଛି।

ଆଗାମୀଦିନରେ ଯେଉଁ ସମସ୍ତ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ, ସେଠାରେ ବିଜ୍ଞପ୍ତି ପ୍ରକାଶ ପର୍ଯ୍ୟନ୍ତ ଯେତେ ଖାଲି ପଦବୀ ରହିବ, ସେସବୁ ପୂରଣ ପାଇଁ ସମ୍ପୃକ୍ତ ଆୟୋଗକୁ ସୁପାରିସ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ସାନି ବିଜ୍ଞପ୍ତି ପରେ ଓଡିଶା ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ମଧ୍ୟରେ ଖୁସି ଓ ଆଶାର ସଞ୍ଚାର ହୋଇଛି।

Leave a Reply

Your email address will not be published. Required fields are marked *