Sun. Feb 22nd, 2026

ନ୍ୟୁଜ ଡେକ୍ସ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ୨୦୨୬ ମସିହାର ପ୍ରଥମ କକ୍ଷପଥ ମିଶନ ଆରମ୍ଭ କରିଥିବା ବେଳେ, PSLV-C62 ରକେଟ୍ ଉତକ୍ଷେପଣ ପରେ ମହାକାଶରେ ଏକ ପ୍ରାୟୋଗିକ ବିଚ୍ୟୁତି ଘଟିଥିବା ସୂଚନା ମିଳିଛି। ଜାନୁଆରୀ ୧୨, ୨୦୨୬ ସକାଳ ୧୦ଟା ୧୭ ମିନିଟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ PSLV-C62 ରକେଟ୍ ମାଧ୍ୟମରେ ୧୬ଟି ଉପଗ୍ରହକୁ କକ୍ଷପଥକୁ ପଠାଯାଇଥିଲା।

ISRO ପକ୍ଷରୁ କୁହାଯାଇଛି ଯେ, ରକେଟ୍‌ର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ସଫଳ ଭାବେ କାମ କରିଥିଲା। ହେଲେ ତୃତୀୟ ପର୍ଯ୍ୟାୟ ଶେଷ ସମୟରେ ରକେଟ୍‌ର ଘୂର୍ଣ୍ଣନ ଗତିରେ ସାମାନ୍ୟ ଅସାମାନ୍ୟତା ଦେଖାଦେଇଥିଲା, ଯାହା ପରେ ଏହା ନିର୍ଦ୍ଦିଷ୍ଟ କକ୍ଷପଥରୁ କିଛିଟା ବିଚ୍ୟୁତ ହୋଇଯାଇଥିଲା।ISRO ମୁଖ୍ୟ ଡାକ୍ତର ଭି. ନାରାୟଣନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, “PSLV ରକେଟ୍ ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ସାଧାରଣ ଭାବେ କାର୍ଯ୍ୟ କରିଥିଲା। ଶେଷ ମୁହୂର୍ତ୍ତରେ ହୋଇଥିବା ଏହି ସାମାନ୍ୟ ବିଚ୍ୟୁତି ସମ୍ପର୍କରେ ସମସ୍ତ ତଥ୍ୟକୁ ଗଭୀର ଭାବେ ବିଶ୍ଳେଷଣ କରାଯାଉଛି।”

ଉଲ୍ଲେଖଯୋଗ୍ୟ ଯେ, PSLV କୁ ବିଶ୍ୱର ସବୁଠାରୁ ନିର୍ଭରଯୋଗ୍ୟ ପ୍ରକ୍ଷେପଣ ଯାନମାନଙ୍କ ମଧ୍ୟରୁ ଗଣାଯାଏ। ଏହି ରକେଟ୍ ଚନ୍ଦ୍ରାୟଣ-୧, ମଙ୍ଗଳୟାନ ଓ ଆଦିତ୍ୟ-L1 ପରି ଐତିହାସିକ ମିଶନକୁ ସଫଳତାର ସହ ଉତକ୍ଷେପଣ କରିଛି। PSLV-C62 ହେଉଛି PSLV ର ୬୪ତମ ଉଡ଼ାଣ ଏବଂ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ସମ୍ପର୍କିତ ଭାରତର ନବମ ବାଣିଜ୍ୟିକ ମିଶନ।

ଏହି ମିଶନ୍ ISROର ବାଣିଜ୍ୟିକ ଶାଖା ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ଦ୍ୱାରା ପରିଚାଳିତ ହୋଇଥିଲା ଏବଂ ଏଥିରେ ପ୍ରଥମଥର ପାଇଁ ଏକ ଭାରତୀୟ ଘରୋଇ କମ୍ପାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା। ଏହି କାରଣରୁ ଏହାକୁ ଦେଶର ଘରୋଇ ମହାକାଶ କ୍ଷେତ୍ର ପାଇଁ ଏକ ମାଇଲସ୍ଟୋନ୍ ଭାବେ ଦେଖାଯାଉଛି।ISRO ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିଚ୍ୟୁତିର କାରଣ ଚିହ୍ନଟ ପରେ ଭବିଷ୍ୟତ ମିଶନଗୁଡ଼ିକୁ ଆହୁରି ସୁଦୃଢ଼ କରାଯିବ।

Leave a Reply

Your email address will not be published. Required fields are marked *