Sun. Feb 22nd, 2026

ନ୍ୟୁଜ ଡେକ୍ସ : ସୋସିଆଲ ମିଡିଆର ନକାରାତ୍ମକ ପ୍ରଭାବକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରୁ କିଛି ସମୟ ପାଇଁ ଦୂରେଇ ରହିବା ନେଇ ଘୋଷଣା କରିଛନ୍ତି। ଏନେଇ ସେ ନିଜ ଶେଷ ପୋଷ୍ଟରେ ନିଜ ମତାମତ ସ୍ପଷ୍ଟ କରିଛନ୍ତି।ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ସୋସିଆଲ ମିଡିଆରେ ତାଙ୍କ ଉପସ୍ଥିତି ସବୁବେଳେ ସରଳତା, ସକରାତ୍ମକ ଭାବନା ଓ ଗଠନମୂଳକ ଚିନ୍ତାଧାରା ଉପରେ ଆଧାରିତ ଥିଲା।

ବ୍ୟକ୍ତିଗତ ଭାବେ ଓ ଏକ ସଚେତନ ନାଗରିକ ଭାବରେ ସେ ସଦା ନକାରାତ୍ମକ ଆଲୋଚନାରୁ ଦୂରେଇ ରହିବାକୁ ପସନ୍ଦ କରୁଥିଲେ।ତଥାପି ନିକଟରେ କିଛି ଅତ୍ୟନ୍ତ ଅଶୋଭନୀୟ ଓ ନକାରାତ୍ମକ ମନ୍ତବ୍ୟ ତାଙ୍କ ନଜରକୁ ଆସିଥିବା କଥା ସେ ଉଲ୍ଲେଖ କରିଛନ୍ତି। ଏଭଳି ମନ୍ତବ୍ୟକୁ ଗୁରୁତ୍ୱ ଦେଇ ନିଜର ମୂଲ୍ୟବୋଧ ଓ ସକରାତ୍ମକ ଲକ୍ଷ୍ୟରୁ ଦୂରେଇ ଯିବା ପରିବର୍ତ୍ତେ, ସେ ‘X’ରୁ ଅଲ୍ପ ସମୟ ପାଇଁ ବିରତି ନେବାକୁ ଉଚିତ୍‌ ବୋଲି ଭାବିଛନ୍ତି।

ଶେଷରେ ସେ କହିଛନ୍ତି ଯେ, ଏଭଳି ନକାରାତ୍ମକ ଚିନ୍ତାଧାରାରେ ଲିପ୍ତ ଥିବା ଲୋକମାନଙ୍କୁ ସଦବୁଦ୍ଧି, ସହାନୁଭୂତି ଓ ସକରାତ୍ମକ ମନୋଭାବ ଦେବାକୁ ସେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ତାଙ୍କ ଏହି ନିଷ୍ପତ୍ତି ସୋସିଆଲ ମିଡିଆରେ ଶିଷ୍ଟାଚାର ଓ ସଂଯମ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *