ନ୍ୟୁଜ ଡେକ୍ସ : ଆଜି ଅଣ୍ଡର-୧୯ ଏସିଆ କପ୍ କ୍ରିକେଟର ଫାଇନାଲ ମ୍ୟାଚରେ ଚିରପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। କ୍ୟାପଟେନ ଆୟୁଷ ମହାତ୍ରେଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ମାଠକୁ ଓହ୍ଲାଇବ। ନବମ ଥର ପାଇଁ ଟ୍ରଫି ହାତେଇବା ଲକ୍ଷ୍ୟ ନେଇ ଭାରତ ଆଜିର ମ୍ୟାଚ୍ ଖେଳିବ।
ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍ ଜିତି ଚମତ୍କାର ଫର୍ମରେ ରହିଥିବା ଟିମ୍ ଇଣ୍ଡିଆ ପ୍ରତି ଫ୍ୟାନ୍ମାନଙ୍କ ଆଶା ବହୁତ ଉଚ୍ଚ। ଭାରତ ସେମିଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ପ୍ରବେଶ କରିଥିବାବେଳେ, ପାକିସ୍ତାନ ଗତଥରର ବିଜେତା ବାଂଲାଦେଶକୁ ପରାଜିତ କରି ଶେଷ ମୁକାବିଲାକୁ ପହଞ୍ଚିଛି।ସମସ୍ତ ଦୃଷ୍ଟିରୁ ଭାରତର ପଲ୍ଲା ଭାରି ଦେଖାଯାଉଛି। ବ୍ୟାଟିଂରେ ବୈଭବ ସୂର୍ଯ୍ୟବଂଶୀ, କ୍ୟାପଟେନ ଆୟୁଷ ମହାତ୍ରେ ଓ ୱିକେଟକିପର–ବ୍ୟାଟର ଅଭିଜ୍ଞାନ କୁଣ୍ଡୁ ପୁରା ଫର୍ମରେ ରହିଛନ୍ତି।
ସେପଟେ ବୋଲିଂରେ ଦୀପେଶ ଦେବେନ୍ଦ୍ରନ୍ ପାକିସ୍ତାନ ବ୍ୟାଟିଂ ଲାଇନଅପ୍ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରନ୍ତି। ଭାରତ–ପାକିସ୍ତାନ ଫାଇନାଲ ଥିବାରୁ ମ୍ୟାଚ୍କୁ ନେଇ ଦର୍ଶକ ଓ କ୍ରିକେଟ ପ୍ରେମୀମାନଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖାଯାଉଛି। ସମସ୍ତଙ୍କ ଦୃଷ୍ଟି ଆଜିର ଏହି ରୋମାଞ୍ଚକର ମହାମୁକାବିଲା ଉପରେ ରହିଛି।

