ନ୍ୟୁଜ ଡେକ୍ସ : ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍ରେ ଭାରତୀୟ ମହିଳା ‘ଏ’ ଦଳ ରବିବାର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ମହିଳା ‘ଏ’ ଦଳକୁ ଏକତରଫା ମୁକାବିଲାରେ ୮ ୱିକେଟ୍ରେ ପରାଜିତ କରିଛି। ପ୍ରଥମ ମ୍ୟାଚ୍ରେ UAE ଠାରୁ ହାରିବା ପରେ ଭାରତ ଏହି ବିଜୟ ସହ ଦମଦାର ଭାବରେ ଫେରାଦାରି କରିଛି।ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଭାରତୀୟ ବୋଲରଙ୍କ ଆଗରେ ଟିକି ପାରିନଥିଲା।
ସମଗ୍ର ଦଳ ୧୮.୫ ଓଭରରେ ସମସ୍ତ ୱିକେଟ୍ ହରାଇ କେବଳ ୯୩ ରନ୍ କରିଥିଲା। ପାକିସ୍ତାନ ପକ୍ଷରୁ ସୱାଲ ଜୁଲିଫିକର ୨୩ ରନ୍, ଗୁଲ୍ ରୁଖ୍ ୨୧ ରନ୍ ଓ ଅନୋଶା ନାସିର ୧୭ ରନ୍ କରିଥିଲେ। ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ଛୁଇଁପାରିନଥିଲେ। ଭାରତ ପକ୍ଷରୁ ରାଧା ଯାଦବ, ପ୍ରେମା ରାୱତ ଓ ସାଇମା ଠାକର ୨ଟି କରି ୱିକେଟ୍ ନେଇ ପାକିସ୍ତାନର ବ୍ୟାଟିଂକୁ ଧ୍ୱଂସ କରିଦେଇଥିଲେ।୯୪ ରନ୍ର ସହଜ ଲକ୍ଷ୍ୟକୁ ଭାରତୀୟ ଦଳ ଅତ୍ୟନ୍ତ ସହଜରେ ପାର କରିଥିଲା। ମାତ୍ର ୧୦.୧ ଓଭରରେ ୨ଟି ୱିକେଟ୍ ହରାଇ ଭାରତ ଏହି ଟାର୍ଗେଟ୍ ପୂରଣ କରିଥିଲା। ହୁମାଇରା କାଜି ୦ ଓ ଅନୁଷ୍କା ଶର୍ମା ୨୪ ରନ୍ କରି ଆଉଟ୍ ହୋଇଥିଲେ।
ଦୀନେଶ ବୃନ୍ଦା ଦମଦାର ବ୍ୟାଟିଂ କରି ୨୯ ବଲରୁ ୫୫ ରନ୍ ଅପରାଜିତ ରହିଥିଲେ, ଯେଉଁଥିରେ ୧୨ଟି ଚୌକା ଥିଲା। ତେଜାଲ ହାସବିନ୍ସ ୫ ବଲରୁ ୧୨ ରନ୍ କରି ଅପରାଜିତ ରହି ଦଳକୁ ଶୀଘ୍ର ବିଜୟ ଦେଇଥିଲେ। ଅର୍ଦ୍ଧଶତକୀୟ ପାଳି ଖେଳି ଭାରତର ବିଜୟରେ ମୁଖ୍ୟ ଭୂମିକା ନେଇଥିବା ଦୀନେଶ ବୃନ୍ଦାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଏହି ବିଜୟ ସହ ଭାରତୀୟ ମହିଳା ‘ଏ’ ଦଳ ଟୁର୍ଣ୍ଣାମେଣ୍ଟରେ ନିଜ ଦାବିକୁ ଶକ୍ତିଶାଳୀ ଭାବେ ପ୍ରତିଷ୍ଠା କରିଛି।

