Wed. Jun 3rd, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ପୁଣିଥରେ ଆନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ନିଜର ସ୍ଥାନକୁ ସୁଦୃଢ଼ କରିଛି। ଆସନ୍ତା ୨୦୨୭ ମସିହାରେ ହେବାକୁ ଥିବା ଏସୀୟ ଅନ୍ତଃଗୃହ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ଓଡ଼ିଶାକୁ ମିଳିଛି। ଏହି ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ କଳିଙ୍ଗ କ୍ରୀଡ଼ା ପ୍ରାଙ୍ଗଣରେ ଆୟୋଜିତ ହେବ। ହଂକଂରେ ଆଜି ଏସୀୟ କ୍ରୀଡ଼ା ପରିଷଦ ପକ୍ଷରୁ ଏନେଇ ଆଧିକାରିକ ଘୋଷଣା କରାଯାଇଛି।ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଖେଳାଳି ଓ କ୍ରୀଡ଼ାପ୍ରେମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେ କହିଛନ୍ତି ଯେ, ଏହା ଭାରତ ଏବଂ ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବ ଓ ସମ୍ମାନର ବିଷୟ। ଓଡ଼ିଶା ବର୍ତ୍ତମାନ ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜନର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ହୋଇପାରିଛି। ରାଜ୍ୟ ସରକାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହ ଖେଳାଳିଙ୍କ ପ୍ରୋତ୍ସାହନ ପାଇଁ ନିରନ୍ତର ପଦକ୍ଷେପ ନେଉଥିବାରୁ ଏପରି ବଡ଼ ଆୟୋଜନର ସୁଯୋଗ ମିଳୁଛି ବୋଲି ସେ କହିଛନ୍ତି। କଳିଙ୍ଗ କ୍ରୀଡ଼ା ପ୍ରାଙ୍ଗଣ ପୂର୍ବରୁ ମଧ୍ୟ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନ କରିସାରିଛି। ଏବେ ଏସୀୟ ସ୍ତରର ଏହି ବୃହତ୍ ପ୍ରତିଯୋଗିତା ଆୟୋଜନ ଦାୟିତ୍ୱ ମିଳିବା ପରେ ରାଜ୍ୟର କ୍ରୀଡ଼ା ମାନଚିତ୍ର ଆହୁରି ସୁଦୃଢ଼ ହେବ ବୋଲି କୁହାଯାଉଛି।

ସେହିପରି ୨୦୨୮ ମସିହାରେ ଚଣ୍ଡିଗଡ଼ରେ ଏସୀୟ ଦୌଡ଼ ପ୍ରତିଯୋଗିତା ଆୟୋଜନ ହେବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ମଧ୍ୟ ଭୁବନେଶ୍ୱରର କଳିଙ୍ଗ କ୍ରୀଡ଼ା ପ୍ରାଙ୍ଗଣରେ ୨୦୨୮ ମସିହାର ବିଶ୍ୱ ଅନ୍ତଃଗୃହ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେବ ବୋଲି ଘୋଷଣା ହୋଇସାରିଛି। ଏହା ଓଡ଼ିଶାର କ୍ରୀଡ଼ା ଇତିହାସରେ ଆଉ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି।ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି, ଆଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥା ଓ ଆନ୍ତର୍ଜାତୀୟ ମାନର ସୁବିଧା ଯୋଗୁଁ ଓଡ଼ିଶା ଆଜି କ୍ରୀଡ଼ା କ୍ଷେତ୍ରରେ ସାରା ଦେଶରେ ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛି। ଏହି ଆୟୋଜନ ମାଧ୍ୟମରେ ରାଜ୍ୟରେ କ୍ରୀଡ଼ା ପର୍ଯ୍ୟଟନର ମଧ୍ୟ ବିକାଶ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *