ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ। ଆସନ୍ତା ମେ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ କିଟ୍ର ବିଶ୍ୱନାଥନ ଆନନ୍ଦ ଚେସ୍ ହଲ୍ରେ ଆୟୋଜିତ ହେବ ସପ୍ତଦଶ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ। ଅନ୍ତର୍ଜାତୀୟ ଚେସ୍ ମହାସଂଘ ‘ଫିଡେ’ ଏବଂ ସର୍ବଭାରତୀୟ ଚେସ୍ ମହାସଂଘ ‘ଏଆଇସିଏଫ୍’ର ଆନୁକୂଲ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଛି।
ଚଳିତବର୍ଷର ଚେସ୍ ମହୋତ୍ସବ ଭାରତୀୟ ଚେସ୍ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ ସୃଷ୍ଟି କରିବାକୁ ଯାଉଛି। ପ୍ରଥମ ଥର ପାଇଁ ୧.୩୧ କୋଟି ଟଙ୍କାର ବିଶାଳ ପୁରସ୍କାର ରାଶି ସହ କିଟ୍ ଆୟୋଜନ କରୁଛି ଏସିଆର ସବୁଠୁ ବଡ଼ ଚେସ୍ ମହୋତ୍ସବ। ଏହା ପୂର୍ବରୁ କିଟ୍ ସଫଳତାର ସହ ୧୬ଟି ସଂସ୍କରଣ ଆୟୋଜନ କରି ସାରିଥିବା ବେଳେ ଚଳିତ ସଂସ୍କରଣକୁ ନେଇ ଚେସ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।ପ୍ରତିଯୋଗିତା ବିଭିନ୍ନ ବର୍ଗରେ ଖେଳାଯିବ। ଉଦୀୟମାନ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ‘ବି’ ଓ ‘ସି’ ବର୍ଗରେ ମୋଟ ୭୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି, ଯାହା ଗତବର୍ଷ ତୁଳନାରେ ଯଥେଷ୍ଟ ଅଧିକ। ଏହା ନୂଆ ଖେଳାଳିଙ୍କୁ ଆଗକୁ ଆସିବା ପାଇଁ ବଡ଼ ପ୍ରେରଣା ଦେବ ବୋଲି କୁହାଯାଉଛି।ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ୪୦ଟି ଦେଶର ଖେଳାଳି ଭାଗ ନେବାକୁ ଯାଉଥିବା ବେଳେ ସେଥିରେ ୮୫ ଜଣ ଟାଇଟଲଧାରୀ ଖେଳାଳି ରହିଛନ୍ତି।
ଏବେ ସୁଦ୍ଧା ୩୦ ଜଣ ଗ୍ରାଣ୍ଡମାଷ୍ଟର, ୪୫ ଜଣ ଆନ୍ତର୍ଜାତୀୟ ମାଷ୍ଟର, ୫ ଜଣ ଫିଡେ ମାଷ୍ଟର, ଜଣେ ମହିଳା ଗ୍ରାଣ୍ଡମାଷ୍ଟର ଓ ୩ ଜଣ ମହିଳା ଆଇଏମ୍ ଅଂଶଗ୍ରହଣ ପାଇଁ ସମ୍ମତି ଜଣାଇଛନ୍ତି। ସେହିପରି ୨୪୦୦ରୁ ଅଧିକ ରେଟିଂ ଥିବା ବହୁ ଖେଳାଳି ମଧ୍ୟ ଏଥିରେ ଯୋଗ ଦେବେ।ସର୍ବୋଚ୍ଚ ରେଟିଂପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ମେକ୍ସିକୋର ମାର୍ଟିନେଜ୍ ଆଲକାନ୍ତ୍ରା ଜୋସେ ଏଡୁଆର୍ଡୋଙ୍କ ନାମ ରହିଛି। ତାଙ୍କର ରେଟିଂ ୨୬୪୦ ଥିବାରୁ ସେ ପ୍ରତିଯୋଗିତାର ଅନ୍ୟତମ ଆକର୍ଷଣ ହେବେ ବୋଲି ଆଶା କରାଯାଉଛି।ଓଡ଼ିଶା ପକ୍ଷରୁ ଡବ୍ଲ୍ୟୁଜିଏମ୍ କିରଣ ମନୀଷା ମହାନ୍ତି, ପଦ୍ମିନୀ ରାଉତ ଏବଂ ଆଇଏମ୍ ସମ୍ବିତ ପଣ୍ଡା ପ୍ରମୁଖ ନେତୃତ୍ୱ ନେବେ।
ରାଜ୍ୟର ଚେସ୍ ଖେଳାଳିଙ୍କ ପାଇଁ ଏହି ମହୋତ୍ସବ ଏକ ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି କ୍ରୀଡ଼ାମହଳରେ ମତ ପ୍ରକାଶ ପାଇଛି। ଆଗାମୀ ଦିନରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ଥିବା କୁହାଯାଉଛି।କିଟ୍ ଚେସ୍ କୋଚ୍ ଗୌରହରି ମହାପାତ୍ର କହିଛନ୍ତି ଯେ, ରାଜ୍ୟ ବାହାର ଏବଂ ବିଦେଶରୁ ଆସୁଥିବା ଖେଳାଳିଙ୍କ ପାଇଁ ରହିବା ଓ ଖାଇବାର ସମସ୍ତ ସୁବନ୍ଦୋବସ୍ତ କରାଯାଇଛି। ପ୍ରତିଯୋଗିତାକୁ ସଫଳ ଓ ସ୍ମରଣୀୟ କରିବା ପାଇଁ କିଟ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

