ନ୍ୟୁଜ ଡେକ୍ସ : ୨୦୨୬ ମହିଳା ଟି୨୦ ବିଶ୍ୱକପ୍କୁ ନେଇ ଉତ୍ସାହ ବଢ଼ୁଥିବା ବେଳେ ଭାରତୀୟ ଦଳ ଘୋଷଣା ପାଇଁ ତାରିଖ ନିଶ୍ଚିତ ହୋଇଛି। ଇଂଲଣ୍ଡ ଆୟୋଜିତ ଏହି ବିଶ୍ୱକପ୍ରେ ୧୨ଟି ଦଳ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି।
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ମହିଳା ଚୟନ କମିଟି ଆସନ୍ତା ମେ ୨ ତାରିଖରେ ମୁମ୍ବାଇ ସ୍ଥିତ ବିସିସିଆଇ ମୁଖ୍ୟାଳୟରେ ବୈଠକ କରି ୨୦୨୬ ଆଇସିସି ମହିଳା ଟି୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଚୟନ କରିବେ। ବୈଠକ ପରେ ସାମ୍ବାଦିକ ସମ୍ମିଳନୀ ହେବ, ଯେଉଁଥିରେ ଅଧିନାୟକ ହରମନପ୍ରୀତ କୌର, ଚୟନ କମିଟି ଅଧ୍ୟକ୍ଷା ଅମିତା ଶର୍ମା ଏବଂ ବିସିସିଆଇ ସଚିବ ଦେବଜିତ ସାଇକିଆ ଉପସ୍ଥିତ ରହିବେ।ଭାରତୀୟ ମହିଳା ଦଳ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଖେଳିବା ନିଶ୍ଚିତ ହୋଇଛି। ଦଳ ଜୁନ୍ ୧୪ ତାରିଖରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ନିଜ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ।
ଏହି ବିଶ୍ୱକପ୍ରେ ଭାରତକୁ ଗ୍ରୁପ୍ ୧ରେ ରଖାଯାଇଛି, ଯେଉଁଠି ଅଷ୍ଟ୍ରେଲିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ନେଦରଲ୍ୟାଣ୍ଡ ଦଳ ଅଛନ୍ତି। ଅନ୍ୟପଟେ ଗ୍ରୁପ୍ ୨ରେ ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ଆୟର୍ଲାଣ୍ଡ ଓ ସ୍କଟଲ୍ୟାଣ୍ଡ ରହିଛନ୍ତି।ଏହା ସହ ବିସିସିଆଇ ଚୟନ କମିଟି ଇଂଲଣ୍ଡ ବିପକ୍ଷରେ ଟି-୨୦ ଆଇ ସିରିଜ୍, ଏକ ଟେଷ୍ଟ ମ୍ୟାଚ୍ ଓ ଇଂଲଣ୍ଡ ‘ଏ’ ବିପକ୍ଷରେ ଭାରତ ‘ଏ’ ଦଳ ପାଇଁ ମଧ୍ୟ ଖେଳାଳି ଚୟନ କରିବ। ଏହି ଘୋଷଣା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଦଳ ଘୋଷଣାକୁ ନେଇ ଉତ୍ସୁକତା ବଢ଼ିଛି।

