Wed. Jun 17th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ମହିଳା ସଶକ୍ତିକରଣ ଓ ସ୍ୱାବଲମ୍ବନକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ଜୁନ୍ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ‘ସୁଭଦ୍ରା ଶକ୍ତି ସମାବେଶ’ ଆୟୋଜିତ ହେବ। ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ମଙ୍ଗଳବାର ମିଶନ ଶକ୍ତି ଭବନରେ ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ଦୂରସଂଯୋଗ ସମୀକ୍ଷା ବୈଠକ କରିଥିଲେ।ବୈଠକରେ ‘ସୁଭଦ୍ରା ଶକ୍ତି ସମାବେଶ’ର ସଫଳ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କ ମଧ୍ୟରେ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବଢ଼ାଇବା ଏବଂ ସେମାନଙ୍କୁ ଆର୍ଥିକ ଭାବେ ଅଧିକ ସଶକ୍ତ କରିବା। ବିଶେଷକରି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ବିଭିନ୍ନ ଯୋଜନା, ଆର୍ଥିକ ସମାବେଶ, ଦକ୍ଷତା ବିକାଶ, ବଜାର ସଂଯୋଗ ଓ ରୋଜଗାର ସୁଯୋଗ ବିଷୟରେ ଅବଗତ କରାଯିବ। ସେହିପରି ଅଧିକ ସଂଖ୍ୟାରେ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।ବୈଠକ ପରେ ମିଶନ ଶକ୍ତି ଭବନରେ କ୍ଷେତ୍ରସ୍ତରୀୟ ସହାୟକ କର୍ମୀମାନଙ୍କ ସହ ଏକ ସ୍ୱତନ୍ତ୍ର ଆଲୋଚନା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ୩୦ଟି ଜିଲ୍ଲାରୁ ୩୦୦ରୁ ଅଧିକ କର୍ମୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ରଜ ପର୍ବର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ।ସେ କହିଥିଲେ ଯେ ମିଶନ ଶକ୍ତିର ସଫଳତା ପଛରେ କ୍ଷେତ୍ରସ୍ତରୀୟ କର୍ମୀମାନଙ୍କ ନିଷ୍ଠା, ପରିଶ୍ରମ ଓ ଦକ୍ଷତା ରହିଛି।

ସେମାନଙ୍କ ଉଦ୍ୟମ ଫଳରେ ସରକାରୀ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ସଫଳତାର ସହ ପହଞ୍ଚିପାରୁଛି। ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଦିଗରେ ଏହି ସମାବେଶ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।ତୃଣମୂଳ ସ୍ତରରେ ଚାଲିଥିବା କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା ସହ ଆଗାମୀ ଦିନରେ ମିଶନ ଶକ୍ତିର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ ପ୍ରଭାବଶାଳୀ କରିବା ପାଇଁ ଏହି ବୈଠକରେ ଆବଶ୍ୟକ ଦିଗନିର୍ଦ୍ଦେଶ ଦିଆଯାଇଥିଲା। ‘ସୁଭଦ୍ରା ଶକ୍ତି ସମାବେଶ’ ମାଧ୍ୟମରେ ରାଜ୍ୟର ମହିଳାମାନେ ନୂଆ ଆତ୍ମବିଶ୍ୱାସ ସହ ଆର୍ଥିକ ସ୍ୱାବଲମ୍ବନର ପଥରେ ଆଗକୁ ବଢ଼ିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *