ନ୍ୟୁଜ ଡେକ୍ସ :ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଭାରତୀୟ କୋଡ଼ିଏ ଓଭର ଦଳ ଘୋଷଣା କରାଯାଇଛି। ଏଥର ଦଳର ନେତୃତ୍ୱ ଦାୟିତ୍ୱ ଶ୍ରେୟସ ଆୟରଙ୍କୁ ଦିଆଯାଇଥିବା ବେଳେ ତିଳକ ବର୍ମାଙ୍କୁ ଉପ-ଅଧିନାୟକ ଭାବେ ମନୋନୀତ କରାଯାଇଛି।ଦଳ ଘୋଷଣାର ସବୁଠାରୁ ବଡ଼ ଆକର୍ଷଣ ସାଜିଛନ୍ତି ୧୫ ବର୍ଷୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ। ପ୍ରଥମ ଥର ପାଇଁ ସେ ଭାରତୀୟ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି।
ତାଙ୍କ ଚୟନକୁ ନେଇ କ୍ରିକେଟ ମହଲରେ ବେଶ୍ ଉତ୍ସାହ ଦେଖାଦେଇଛି।ଅନ୍ୟପକ୍ଷରେ ଅଭିଜ୍ଞ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ କୋଡ଼ିଏ ଓଭର ଦଳରୁ ବାଦ ଦିଆଯାଇଛି। ସେହିପରି ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ଶୁବମନ ଗିଲଙ୍କୁ ମଧ୍ୟ ଏହି ଫର୍ମାଟରେ ସ୍ଥାନ ମିଳିନାହିଁ।ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ୫ଟି କୋଡ଼ିଏ ଓଭର ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ଏହାପରେ ଆୟରଲାଣ୍ଡ ବିପକ୍ଷରେ ୨ଟି କୋଡ଼ିଏ ଓଭର ମ୍ୟାଚ୍ ଖେଳାଯିବ। ଏହାସହ ଏସୀୟ କ୍ରୀଡ଼ା ପାଇଁ ମଧ୍ୟ ଭାରତୀୟ ଦଳ ଘୋଷଣା କରାଯାଇଛି।
ସେଠାରେ ମଧ୍ୟ ଶ୍ରେୟସ ଆୟରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ତିଳକ ବର୍ମା ଉପ-ଅଧିନାୟକ ହୋଇଛନ୍ତି। ଏସୀୟ କ୍ରୀଡ଼ା ଦଳରେ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ସ୍ଥାନ ମିଳିଥିବା ବେଳେ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଦଳରେ ସାମିଲ ହୋଇଛନ୍ତି।ନୂଆ ନେତୃତ୍ୱ ଓ ଯୁବ ଖେଳାଳିଙ୍କ ସମ୍ମିଶ୍ରଣ ସହ ଘୋଷିତ ଦଳ ଆଗାମୀ ସିରିଜ ଓ ଏସୀୟ କ୍ରୀଡ଼ାରେ କିପରି ପ୍ରଦର୍ଶନ କରିବ, ସେଥିପ୍ରତି କ୍ରିକେଟପ୍ରେମୀଙ୍କ ନଜର ରହିଛି।

