ନ୍ୟୁଜ ଡେକ୍ସ : ଆସନ୍ତା ଜୁନ୍ ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ତୃତୀୟ ଭୁବନେଶ୍ୱର ଚଳଚ୍ଚିତ୍ର ମହୋତ୍ସବ–୨୦୨୬ର ଆନୁଷ୍ଠାନିକ କାର୍ଯ୍ୟସୂଚୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମହୋତ୍ସବର ପ୍ରମୁଖ ଆୟୋଜକ ସଞ୍ଜୟ ପଟ୍ଟନାୟକ, ସହ-ଆୟୋଜକ ସୁକାନ୍ତ ରଥ ଓ ଅଶୋକ ପାଲିତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ର ମହୋତ୍ସବର ପ୍ରଶଂସା କରି କହିଥିଲେ ଯେ, ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ସିନେମାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆସନ୍ତା ବର୍ଷଠାରୁ ଏହି ମହୋତ୍ସବକୁ ଆହୁରି ବଡ଼ ଓ ବ୍ୟାପକ ରୂପରେ ଆୟୋଜନ କରାଯିବ। ରାଜ୍ୟର ଚଳଚ୍ଚିତ୍ର ଓ ସାଂସ୍କୃତିକ କ୍ଷେତ୍ରର ବିକାଶ ପାଇଁ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ପ୍ରକାଶ କରିଥିଲେ।ଏହି ଅବସରରେ ମହୋତ୍ସବର ଆୟୋଜକମାନେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମିଳୁଥିବା ସହଯୋଗ ଓ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ସେମାନଙ୍କ କହିବା ଅନୁସାରେ, ସଂସ୍କୃତି ବିଭାଗର ଏହି ସହାୟତା ରାଜ୍ୟରେ ଚଳଚ୍ଚିତ୍ର ସଂସ୍କୃତିର ବିକାଶ ଏବଂ ଉତ୍ତମ ଚଳଚ୍ଚିତ୍ରର ପ୍ରସାର ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।
ଚଳିତ ବର୍ଷ ଜୁନ୍ ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସକାଳ ୧୦ଟାରୁ ରାତି ୧୦ଟା ଯାଏ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଆ ଚଳଚ୍ଚିତ୍ର ସହ କନ୍ନଡ଼, ହିନ୍ଦୀ, ବଙ୍ଗଳା, ମରାଠୀ, ଗୁଜରାଟୀ, ଆସାମୀୟା, ମାଲାୟଲମ୍ ଓ ଡେମ୍ସା ଭାଷାର ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏହି ମହୋତ୍ସବ ମାଧ୍ୟମରେ ଦର୍ଶକମାନେ ବିଭିନ୍ନ ଭାଷା ଓ ସଂସ୍କୃତିର ଉଚ୍ଚମାନର ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇବେ।

