ନ୍ୟୁଜ ଡେକ୍ସ : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସକୁ ବଡ଼ ସଫଳତା ମିଳିଛି। ଘଟଣାରେ ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ ଭୀମସେନ ଟୁଡୁଙ୍କୁ ମୟୁରଭଞ୍ଜରୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍। ଗତ କିଛି ଦିନ ଧରି ଫେରାର ଥିବା ଭୀମସେନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକାଧିକ ଟିମ୍ ଗଠନ କରାଯାଇଥିଲା।ଗତ ଜୁନ ୪ ତାରିଖରେ କାଠଯୋଡ଼ି ନଦୀରୁ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ଏହାପରେ ତାଙ୍କ ପରିବାର ପକ୍ଷରୁ ଭୀମସେନ ଟୁଡୁଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ସହ ହତ୍ୟା ଅଭିଯୋଗ ଆଣାଯାଇଥିଲା। ଏହି ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ସୂଚନା ଅନୁସାରେ, ଭୀମସେନ ଟୁଡୁ ନିଜ ସୁରକ୍ଷା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ମଧ୍ୟ କରିଥିଲେ। ତେବେ ତାଙ୍କ ଜାମିନ ଆବେଦନକୁ କୋର୍ଟରେ ବିରୋଧ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଥିଲେ।
ଏଥିପାଇଁ ଆବଶ୍ୟକ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଉଥିବା କଥା ମଧ୍ୟ ପୋଲିସ ପକ୍ଷରୁ କୁହାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଚନ୍ଦ୍ରିକାଙ୍କ ମୃତ୍ୟୁ ପାଣିରେ ବୁଡ଼ି ଅଣନିଶ୍ୱାସୀ ହେବା ଯୋଗୁଁ ଘଟିଥିବା ଜଣାପଡ଼ିଛି। ତେବେ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ଓ ମୃତ୍ୟୁ ପଛର ପ୍ରକୃତ କାରଣ କଣ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଗିରଫ ପରେ ଭୀମସେନଙ୍କୁ ପଚରାଉଚରା କରାଯାଇ ଘଟଣା ସମ୍ପର୍କିତ ଅଧିକ ତଥ୍ୟ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।

