ନ୍ୟୁଜ ଡେକ୍ସ : ରାଜ୍ୟରେ ସରକାର ଗଠନର ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପରିବର୍ତ୍ତନର ଏକ ନୂଆ ଧାରା ଦେଖିବାକୁ ମିଳିଛି ଏବଂ ବିକାଶର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚାଇବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି।ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତ ଦୁଇ ବର୍ଷ ମଧ୍ୟରେ ୧୨୧ଟି ନୂତନ ଯୋଜନା ଆରମ୍ଭ କରାଯାଇଛି।
ରାଜ୍ୟର ପ୍ରତ୍ୟେକ ଗାଁରେ ମୌଳିକ ସୁବିଧା ପହଞ୍ଚାଇବା ସରକାରଙ୍କ ମିଶନ ରହିଥିବା ବେଳେ ୨୦୨୭ ସୁଦ୍ଧା ଏହାର ସଫଳ ରୂପାୟନ କରାଯିବ ବୋଲି ସେ କହିଛନ୍ତି।ମହିଳା ସଶକ୍ତିକରଣକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା କହି ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦି ସୃଷ୍ଟି କରିବାରେ ରାଜ୍ୟ ଦେଶରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଦାବି କରିଛନ୍ତି। ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଐତିହାସିକ ଘୋଷଣା କରି କହିଛନ୍ତି ଯେ, ଏଣିକି ଶିଶୁ ଶିକ୍ଷାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାର୍ଥୀଙ୍କୁ ମାଗଣା ଶିକ୍ଷା ସୁବିଧା ମିଳିବ। ଏହି ବ୍ୟବସ୍ଥା ଲାଗୁ କରିବାରେ ରାଜ୍ୟ ଦେଶର ପ୍ରଥମ ରାଜ୍ୟ ହେବ ବୋଲି ସେ କହିଛନ୍ତି। ଏହା ସହିତ ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ନେଇ ମଧ୍ୟ ବଡ଼ ଘୋଷଣା କରାଯାଇଛି।
ବୈଷୟିକ ପରିବର୍ତ୍ତନ କାରଣରୁ କିଛି ହିତାଧିକାରୀ ଭତ୍ତା ପାଇବାରେ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଏଣିକି ସେମାନଙ୍କୁ ଏକକାଳୀନ ଭାବେ ତିନି ମାସର ଭତ୍ତା ପ୍ରଦାନ କରାଯିବ।ମଧୁବାବୁ ପେନସନ ଯୋଜନାରେ ଅଧିକ ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ଏଥିପାଇଁ ରାଜ୍ୟବ୍ୟାପୀ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୬୦ ବର୍ଷ ବୟସ ପୂରଣ ହେବା ମାତ୍ରେ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇପାରିବେ। ଏହି ସମସ୍ତ ଘୋଷଣା ମାଧ୍ୟମରେ ସମାଜର ସବୁ ବର୍ଗର ଲୋକଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

