ନ୍ୟୁଜ ଡେକ୍ସ : ଆନ୍ତର୍ଜାତୀୟ ଟି୨୦ କ୍ରିକେଟକୁ ଆହୁରି ରୋମାଞ୍ଚକର କରିବା ପାଇଁ କ୍ରିକେଟ ପରିଷଦ କେତେକ ବଡ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି। ଦର୍ଶକମାନେ ଆନ୍ତର୍ଜାତୀୟ ଟି୨୦ ଓ ବିଭିନ୍ନ ଲିଗ କ୍ରିକେଟ ମଧ୍ୟରେ ବେଶି ଫରକ ଅନୁଭବ ନ କରନ୍ତୁ ସେଥିପାଇଁ ଏହି ପଦକ୍ଷେପ ନିଆଯାଉଛି।ମ୍ୟାଚ ସମୟରେ ରହୁଥିବା ୨୦ ମିନିଟର ବିରତିକୁ ୧୫ ମିନିଟକୁ କମାଇବା ନେଇ ଆଲୋଚନା ଚାଲିଛି।
ଚଳିତ ମାସ ୩୦ ତାରିଖରେ ଅହମ୍ମଦାବାଦରେ ହେବାକୁ ଥିବା ବୈଠକରେ ଏହି ପ୍ରସ୍ତାବ ଉପରେ ଅନ୍ତିମ ନିଷ୍ପତ୍ତି ହୋଇପାରେ।ବିରତି ସମୟ କମିଲେ ମ୍ୟାଚର ଗତି ଓ ରୋମାଞ୍ଚ ଅବିକଳ ରହିବ ବୋଲି ଆଶା କରାଯାଉଛି। ଦର୍ଶକମାନେ ମ୍ୟାଚ ସହ ଅଧିକ ସମୟ ଯୋଡ଼ି ରହିପାରିବେ ଏବଂ ଖେଳର ଆକର୍ଷଣ ମଧ୍ୟ ବଢ଼ିବ।
ଅନ୍ୟପଟେ ଆଇପିଏଲ ସମେତ ବିଭିନ୍ନ ଫ୍ରାଞ୍ଚାଇଜ ଲିଗର ଲୋକପ୍ରିୟତା ଦିନକୁ ଦିନ ବଢ଼ୁଥିବାବେଳେ ଆନ୍ତର୍ଜାତୀୟ ଟି୨୦ ପ୍ରତି ଦର୍ଶକଙ୍କ ଆକର୍ଷଣ କମୁଥିବା ଦେଖାଯାଉଛି। ବଡ ଟୁର୍ଣ୍ଣାମେଣ୍ଟ କିମ୍ବା ଶକ୍ତିଶାଳୀ ଦଳମାନଙ୍କ ମଧ୍ୟରେ ହେଉଥିବା ମୁକାବିଲା ବ୍ୟତୀତ ଅନ୍ୟାନ୍ୟ ଟି୨୦ ଶୃଙ୍ଖଳାରେ ଦର୍ଶକଙ୍କ ଉପସ୍ଥିତି କମ ଥିବା ପରିଲକ୍ଷିତ ହେଉଛି।

