Sat. Feb 21st, 2026

ନ୍ୟୁଜ ଡେକ୍ସ : ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଭାରତୀୟ ଦଳ ଜୟଜନକ ଆରମ୍ଭ କରିଛି। ଗୁରୁବାର ଆମେରିକା ବିରୋଧରେ ଖେଳାଯାଇଥିବା ମ୍ୟାଚରେ ଭାରତ ଡକ୍ୱର୍ଥ–ଲୁଇସ ନିୟମ ଅନୁଯାୟୀ ବିଜୟ ହାସଲ କରିଛି। ଏହି ବିଶ୍ୱକପ ଜିମ୍ବାୱେ ଓ ନାମ୍ବିଆରେ ଆୟୋଜିତ ହେଉଛି।ପ୍ରଥମେ ବ୍ୟାଟିଂ କରି ଆମେରିକା ଦଳ ୩୫.୨ ଓଭରରେ ୧୦୭ ରନରେ ଅଲଆଉଟ ହୋଇଯାଇଥିଲା।

ଦଳ ପକ୍ଷରୁ ନୀତିଶ ସୁଦିନି ସର୍ବାଧିକ ୩୬ ରନ କରିଥିଲେ। ଭାରତୀୟ ବୋଲିଂ ଆକ୍ରମଣର ନେତୃତ୍ୱ ନେଇଥିଲେ ହେନିଲ ପଟେଲ, ଯିଏ ୫ଟି ୱିକେଟ ନେଇ ଆମେରିକୀୟ ବ୍ୟାଟିଂକୁ ଧ୍ୱସ୍ତ କରିଥିଲେ।ଜବାବରେ ଭାରତ ୧୦୭ ରନର ଲକ୍ଷ୍ୟ ପିଛା କରୁଥିବା ବେଳେ ୧୭.୨ ଓଭରରେ ୪ ୱିକେଟ ହରାଇ ୯୯ ରନ କରିଥିଲା। ଏହି ସମୟରେ ବର୍ଷା ବାଧା ସୃଷ୍ଟି କରିଥିବାରୁ ଆଉ ଖେଳ ସମ୍ଭବ ହୋଇନଥିଲା। ଡକ୍ୱର୍ଥ–ଲୁଇସ ପ୍ରଣାଳୀ ଅନୁଯାୟୀ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା। ଭାରତ ପକ୍ଷରୁ ଅଭିଜ୍ଞାନ କୁଣ୍ଡୁ ୪୨ ରନ କରି ଅପରାଜିତ ରହିଥିଲେ, ଯେତେବେଳେ ବୈଭବ ସୂର୍ଯ୍ୟବଂଶୀ ୨ ରନରେ ଆଉଟ ହୋଇଥିଲେ।

ଆମେରିକା ପକ୍ଷରୁ ରିତ୍ୱିକ ଆପିଦି ୨ଟି ୱିକେଟ ନେଇଥିଲେ। ଶାନଦାର ବୋଲିଂ ପ୍ରଦର୍ଶନ ପାଇଁ ହେନିଲ ପଟେଲଙ୍କୁ ‘ପ୍ଲେୟାର ଅଫ ଦ ମ୍ୟାଚ’ ଘୋଷଣା କରାଯାଇଥିଲା।ଏହି ଟୁର୍ଣ୍ଣାମେଣ୍ଟର ଅନ୍ୟ ମ୍ୟାଚରେ ସ୍କଟଲାଣ୍ଡ ଓ ଜିମ୍ବାୱେ ମଧ୍ୟରେ ମୁକାବିଲା ଡ୍ର ରହିଥିବା ବେଳେ ୱେଷ୍ଟଇଣ୍ଡିଜ ତାଞ୍ଜାନିଆକୁ ପରାସ୍ତ କରିଛି। ଉଲ୍ଲେଖଯୋଗ୍ୟ ଯେ, ଅଣ୍ଡର–୧୯ ବିଶ୍ୱକପରେ ଭାରତ ସବୁଠାରୁ ସଫଳ ଦଳ ଭାବେ ୫ଥର ଚାମ୍ପିୟନ ହୋଇଛି, ଏବଂ ଏଥର ମଧ୍ୟ ଟାଇଟଲ୍ ଜିତିବା ଆଶାରେ ଦଳ ଆଗକୁ ବଢ଼ୁଛି।

Leave a Reply

Your email address will not be published. Required fields are marked *