Sun. Feb 22nd, 2026

ନ୍ୟୁଜ ଡେକ୍ସ : ଅନୁଗୋଳ ସହରର ହାତୀଶାଳ ପଡ଼ା ଅଞ୍ଚଳରେ ପୁଲିସ ପକ୍ଷରୁ ଚଳାଯାଇଥିବା ମିଳିତ ଚଢ଼ାଉରେ ବଡ଼ ମାପର ନିଶା କାରବାର ଖୋଲାସା ହୋଇଛି। ଅନୁଗୋଳ ଥାନା ପୁଲିସ ଓ ଜିଲ୍ଲା ମୋବାଇଲ ସ୍ୱାର୍ଡର ସଂଯୁକ୍ତ ଅଭିଯାନରେ ଏକ ଭଡ଼ାଘରୁ ୨୮ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ, ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି।

ପୁଲିସ ସୂଚନା ଅନୁସାରେ, ଅଟକ ଦୁଇ ଅଭିଯୁକ୍ତଙ୍କ ନିକଟରୁ ୨୬ ଲକ୍ଷ ୫ ହଜାର ୩୧୫ ଟଙ୍କା ନଗଦ ମଧ୍ୟ ଜବତ କରାଯାଇଛି। ଏହି ନଗଦ ରାଶି ବେଆଇନ ନିଶା କାରବାର ସହ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି।ବେଆଇନ ମାଦକ ଚାଲାଣ ଓ ବିକ୍ରି ଉପରେ କଡ଼ା ନିୟନ୍ତ୍ରଣ ପାଇଁ ଓଡ଼ିଶା ପୁଲିସ ଆରମ୍ଭ କରିଥିବା ‘ଅପରେସନ ପ୍ରହାର’ ଅଭିଯାନ ଅନ୍ତର୍ଗତ ଜିଲ୍ଲାରେ ବ୍ୟାପକ ଚଢ଼ାଉ ଚାଲିଥିବା ବେଳେ, ଏହି କାର୍ଯ୍ୟାନୁଷ୍ଠାନ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ଅନୁଗୋଳ ଉପଖଣ୍ଡ ପୁଲିସ ଅଧିକାରୀ ରମାକାନ୍ତ ମହାଳିକଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ସୂଚନା ଅନୁସାରେ, କିଛିଦିନ ହେଲା ନୂଆଭାବେ ନିର୍ମିତ ଘରଟିକୁ ଭଡ଼ା ନେଇ ଏଠାରୁ ନିଶା କାରବାର ଚାଲୁଥିଲା।ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଓ ନିଶା ଚକ୍ରର ପଛରେ କାହାର ହାତ ରହିଛି, ସେ ସମ୍ପର୍କରେ ପୁଲିସ ଗଭୀର ତଦନ୍ତ ଆରମ୍ଭ କରିଛି। ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ସହରରେ ନିଶା କାରବାରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *