Mon. Apr 20th, 2026

ନ୍ୟୁଜ ଡେକ୍ସ : ‘‘ଆୟୁଷ୍ମାନ ଭାରତ’ ଯୋଜନାକୁ ନେଇ ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱାସନ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ ଆୟୁଷ୍ମାନ ଭାରତ କାର୍ଡ ସମ୍ପର୍କିତ ସମସ୍ତ ପ୍ରକାର ଅସୁବିଧା ଆସନ୍ତା ୩ ଦିନ ମଧ୍ୟରେ ସମାଧାନ କରାଯିବ। ଯୋଜନାର କାର୍ଯ୍ୟାନ୍ବୟନକୁ ଅଧିକ ସୁଚାରୁ ଓ ଲୋକମୁଖୀ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିବା ସେ ଜଣାଇଛନ୍ତି।

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆଗାମୀ ଦିନରେ ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କିତ ସମସ୍ତ ଡାଟା ଓଡ଼ିଆ ଭାଷାରେ ଉପଲବ୍ଧ ହେବ। ଏହା ଦ୍ୱାରା ସାଧାରଣ ଲୋକ ଯୋଜନାର ସର୍ତ୍ତ, ସୁବିଧା ଏବଂ ପ୍ରକ୍ରିୟାକୁ ସହଜରେ ବୁଝିପାରିବେ ଓ ଲାଭ ନେବା ଅଧିକ ସହଜ ହେବ।ଯେଉଁ ହିତାଧିକାରୀମାନଙ୍କର ଆୟୁଷ୍ମାନ ଭାରତ କାର୍ଡ ତିଆରି ହୋଇନାହିଁ, ସେମାନେ ଆବେଦନ କରିପାରିବେ। ଏଥିସହ ହିତାଧିକାରୀମାନେ ଡିଜିଟାଲ୍ ମାଧ୍ୟମରେ ନିଜ ତଥ୍ୟ ଦେଖିବା ସହ ଆବେଦନର ସ୍ଥିତି ମଧ୍ୟ ଜାଣିପାରିବେ। ଏହା ଦ୍ୱାରା ଯୋଜନାର ସ୍ୱଚ୍ଛତା ଓ ଦକ୍ଷତା ଅଧିକ ବଢ଼ିବ ବୋଲି ଆଶା କରାଯାଉଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଆୟୁଷ୍ମାନ ଯୋଜନାର ସୁଚାରୁ କାର୍ଯ୍ୟାନ୍ବୟନ ପାଇଁ ୩ଟି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିଗୁଡ଼ିକ ଯୋଜନାର ପରିଚାଳନାକୁ ଅଧିକ ଶକ୍ତିଶାଳୀ କରିବା ସହ ହିତାଧିକାରୀଙ୍କୁ ସମୟମତେ ସୁବିଧା ମିଳିବାରେ ସହାୟକ ହେବ।ସରକାରଙ୍କ ଏହି ନୂତନ ପଦକ୍ଷେପ ଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ସାଧାରଣ ଲୋକ ଆୟୁଷ୍ମାନ ଭାରତ ଯୋଜନାର ସର୍ବାଧିକ ଲାଭ ଉଠାଇପାରିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *