Thu. Jun 4th, 2026

ନ୍ୟୁଜ ଡେକ୍ସ : ଚଳିତ ବର୍ଷ ମୌସୁମୀ ସମୟରେ ଏଲ୍‌ ନିନୋ ପ୍ରଭାବ ସୃଷ୍ଟି ହେବାର ଆଶଙ୍କା ରହିଛି, ଯାହାର ପ୍ରଭାବରେ ଭାରତରେ ସାଧାରଣତଃ ହେଉଥିବା ବର୍ଷାର ପରିମାଣ ହ୍ରାସ ପାଇପାରେ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକ ତୁଳନାରେ କମ୍‌ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ମୋଟ ବର୍ଷା ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ରହିପାରେ ବୋଲି ପୂର୍ବାନୁମାନ ହୋଇଛି।ବିଶ୍ୱ ପାଣିପାଗ ସଂଗଠନ (WMO) ପକ୍ଷରୁ ସତର୍କ କରାଯାଇଛି ଯେ ଏକ ଶକ୍ତିଶାଳୀ ଏଲ୍‌ ନିନୋ ସୃଷ୍ଟି ହେବାର ୮୦ ପ୍ରତିଶତ ସମ୍ଭାବନା ରହିଛି, ଯାହା ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ଗଠିତ ହୋଇ ନଭେମ୍ବର ପର୍ଯ୍ୟନ୍ତ ପ୍ରଭାବ ଜାରି ରଖିପାରେ।

ଏହା ବିଶ୍ୱ ପାଣିପାଗ ଚକ୍ରକୁ ବିକୃତ କରିବା ସହ ଅତି ଚରମ ପାଣିପାଗିକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ସତର୍କତା ଜାରି କରାଯାଇଛି।ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ଯେ ଏଲ୍‌ ନିନୋ ପ୍ରଭାବରେ କେତେକ ଅଞ୍ଚଳରେ ଅତ୍ୟଧିକ ବର୍ଷା ଓ ଫ୍ଲାସ୍‌ ଫ୍ଲଡ୍‌ ହେବା ସହ ଅନ୍ୟ କେତେକ ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇପାରେ। ଭାରତରେ ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହକୁ ଦୁର୍ବଳ କରିବାର ସମ୍ଭାବନା ରହିଛି, ଯାହା ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ବର୍ଷା ପରିମାଣକୁ ହ୍ରାସ କରିପାରେ।

ଓଡ଼ିଶାରେ ଉତ୍ତର ଭାଗରେ ସାଧାରଣ ତୁଳନାରେ କମ୍‌ ବର୍ଷା ହେବାର ଆଶଙ୍କା ରହିଥିବା ବେଳେ ଦକ୍ଷିଣ ଓ କେନ୍ଦ୍ରୀୟ ଅଞ୍ଚଳରେ ସାଧାରଣ କିମ୍ବା ସାମାନ୍ୟ ଅଧିକ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ମିଳିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳବାୟୁ ପରିବର୍ତ୍ତନ ଓ ଦୁର୍ଯୋଗ ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *