ନ୍ୟୁଜ ଡେକ୍ସ : ରାଜ୍ୟର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସୁଧାର ଆସିବାକୁ ଯାଉଛି। ଖୁବଶୀଘ୍ର ଭୁବନେଶ୍ୱରରୁ ଜୟପୁରକୁ ବିମାନ ସେବା ଆରମ୍ଭ ହେବା ସହ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ତୃତୀୟ ଏୟାର ଟର୍ମିନାଲକୁ ମଧ୍ୟ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ସୂଚନା ମିଳିଛି।ବୁଧବାର ବିମାନବନ୍ଦର ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ଓ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି।
ଭୁବନେଶ୍ୱର ଲୋକସଭା ସାଂସଦ ତଥା କମିଟି ଅଧ୍ୟକ୍ଷା ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିମାନବନ୍ଦରର ଇଣ୍ଟିଗ୍ରେଟେଡ୍ ଅଫିସ୍ କମ୍ପ୍ଲେକ୍ସ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ଜୟପୁର ସହିତ ସୁରତ, ଶିରିଡି, ତିରୁପତି ଏବଂ ଭୋପାଳକୁ ମଧ୍ୟ ନୂଆ ବିମାନ ସେବା ଆରମ୍ଭ କରିବା ନେଇ ବ୍ୟାପକ ଆଲୋଚନା ହୋଇଛି। ଏହା ଫଳରେ ରାଜ୍ୟର ବିମାନ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।ଛାତ୍ରଛାତ୍ରୀ, ବିଶେଷକରି ଗ୍ରାମାଞ୍ଚଳର ପିଲାମାନଙ୍କ ପାଇଁ ବିମାନବନ୍ଦର ପରିଚୟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏଥିସହ ଏୟାର ହୋଷ୍ଟେସ୍ ହେବାକୁ ଇଚ୍ଛୁକ ଛାତ୍ରୀମାନଙ୍କ ପାଇଁ ସଚେତନତା ଶିବିର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ବିମାନବନ୍ଦରରେ ଏରୋବ୍ରିଜ୍ ସଂଖ୍ୟା ବୃଦ୍ଧି ଏବଂ ଯାତ୍ରୀ ସୁବିଧା ବିସ୍ତାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ଟର୍ମିନାଲ ଭିତରେ ଖୁବଶୀଘ୍ର ଏକ ବହି ଦୋକାନ ଖୋଲାଯିବ ବୋଲି ସାଂସଦ ସୂଚନା ଦେଇଛନ୍ତି।
ସେହିପରି ବିମାନ ଚଳାଚଳରେ ବାଧା ସୃଷ୍ଟି କରୁଥିବା ନଡ଼ିଆ ଗଛ, ଜଳ ଟାଙ୍କି ଏବଂ ମୋବାଇଲ୍ ଟାୱାର ଭଳି ସୁରକ୍ଷା ସମସ୍ୟାର ସମାଧାନ ପାଇଁ BMC, BDA ଏବଂ OUAT ସହ ସମନ୍ୱୟ ରଖି କାର୍ଯ୍ୟ କରାଯିବ। ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଯାତ୍ରୀ ସଂଖ୍ୟା, କାର୍ଗୋ ପରିଚାଳନା ଓ ସେବା ଗୁଣବତ୍ତା ସମ୍ପର୍କରେ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ବିବରଣୀ ଦେଇଥିଲେ।ବୈଠକରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା, BMC, ଆଇପିକୋଲ୍, ପର୍ଯ୍ୟଟନ ବିଭାଗ, ADM ସହ ବିଭିନ୍ନ ବିମାନ ସେବା ସଂସ୍ଥା ଓ CISF ଅଧିକାରୀମାନେ ଉପସ୍ଥିତ ଥିଲେ। ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତ୍ୟେକ ୬ ମାସରେ ଏହି କମିଟି ବୈଠକ ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି।

