Thu. Jun 4th, 2026

ନ୍ୟୁଜ ଡେକ୍ସ : ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୂଚାରୁ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ସରକାରୀ ଗାଡ଼ିଗୁଡ଼ିକ ପାଇଁ ତେଲ ଯୋଗାଣ ବ୍ୟବସ୍ଥାରେ ଆଗୁଆ ପେମେଣ୍ଟ ମଡେଲ୍ ଲାଗୁ କରାଯିବ। ଅର୍ଥ ବିଭାଗ ପକ୍ଷରୁ ଏହା ସମ୍ପର୍କିତ ସୂଚନା ଜାରି କରାଯାଇଛି।ନୂତନ ନିଷ୍ପତ୍ତି ଅନୁଯାୟୀ, ସରକାରୀ ଗାଡ଼ିଗୁଡ଼ିକର ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ ବାବଦରେ ପେଟ୍ରୋଲ ପମ୍ପଗୁଡ଼ିକୁ ଆଗୁଆ ଅର୍ଥ ପୈଠ କରାଯିବ।

ପ୍ରତ୍ୟେକ ସରକାରୀ ଗାଡ଼ି ପାଇଁ ଆଗାମୀ ଦୁଇ ମାସର ଆନୁମାନିକ ତେଲ ଖର୍ଚ୍ଚ ହିସାବ କରି ସେହି ଅର୍ଥରାଶି ପୂର୍ବରୁ ସମ୍ପୃକ୍ତ ପେଟ୍ରୋଲ ପମ୍ପଗୁଡ଼ିକୁ ହସ୍ତାନ୍ତର କରାଯିବ। ଏହି ବ୍ୟବସ୍ଥା ଫଳରେ ସରକାରୀ ଗାଡ଼ିଗୁଡ଼ିକର ଚଳଚଳନରେ କୌଣସି ପ୍ରକାର ବାଧା ବା ବିଳମ୍ବ ସୃଷ୍ଟି ହେବ ନାହିଁ ଏବଂ ପ୍ରଶାସନିକ କାର୍ଯ୍ୟ ଅବାଧ ଭାବେ ଚାଲିପାରିବ। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧଜନିତ ଅନିଶ୍ଚିତତା ପରିସ୍ଥିତି ଯୋଗୁଁ ବିଶ୍ୱବ୍ୟାପୀ ଅଶୋଧିତ ତୈଳ (Crude Oil) ଯୋଗାଣ ଓ ତାହାର ଦର ଉପରେ ଚାପ ବଢ଼ିଛି।

ଏହାର ପ୍ରଭାବ ଦେଶୀୟ ସ୍ତରରେ ମଧ୍ୟ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏପରି ପରିସ୍ଥିତିରେ ସରକାରୀ କାର୍ଯ୍ୟକଳାପ ଉପରେ କୌଣସି ବିଘ୍ନ ନଘଟିବା ପାଇଁ ପୂର୍ବ ପ୍ରସ୍ତୁତି ସ୍ୱରୂପ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଅର୍ଥ ବିଭାଗ ସୂତ୍ରରୁ ସୂଚନା ମିଳିଛି।ସରକାରଙ୍କ ଏହି ପଦକ୍ଷେପ ଫଳରେ ସରକାରୀ ଯାନବାହନ ଚଳାଚଳ ଆହୁରି ସୁଚାରୁ ହେବା ସହ ପ୍ରଶାସନିକ ସେବା ପ୍ରଦାନରେ ଅବିରତତା ରହିବ ବୋଲି ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *