ନ୍ୟୁଜ ଡେକ୍ସ: ମାର୍ଚ୍ଚ ୮ ତାରିଖ, ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲକୁ ସଫଳ ମହିଳାମାନେ ପରିଚାଳନା କରିଛନ୍ତି । ଓଡ଼ିଆ ଆଣବିକ ବିଜ୍ଞାନୀ ଏଲିନା ମିଶ୍ରଙ୍କୁ ଏହି ସୌଭାଗ୍ୟ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଏକ୍ସ ହ୍ୟାଣ୍ଡେଲରେ ଏଲିନା ଦେଶର ସବୁ ମହିଳାଙ୍କୁ ବିଜ୍ଞାନ କ୍ଷେତ୍ରକୁ ଆସିବା ଲାଗି ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ଦେଶର ସଫଳ ମହିଳାମାନଙ୍କୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ହ୍ୟାଣ୍ଡେଲ କରିବାକୁ ସୁଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଥିବା ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କର ଆକାଉଣ୍ଟ ସମ୍ଭାଳିବାକୁ ଦାୟିତ୍ଵ ଦେଇଛନ୍ତି।ଏହି କ୍ରମରେ ଓଡ଼ିଶାର ଏଲିନା ମିଶ୍ର ଏବଂ ଶିଳ୍ପୀ ସୋନିଙ୍କୁ ସୁଯୋଗ ମିଳିଛି। ପିଏମ୍ଙ୍କ ଆକାଉଣ୍ଟରୁ ସେମାନେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ଏଲିନା ଆହୁରି ଲେଖିଛନ୍ତି ଯେ, ‘‘ବିଜ୍ଞାନ କ୍ଷେତ୍ରରେ କାମ କରିବାର ମୋର ସ୍ୱପ୍ନ ସେତିକିବେଳେ ପୂରଣ ହେଲା ଯେତେବେଳେ ମୁଁ ମୁମ୍ବାଇର ଭାବା ଆଣବିକ ଗବେଷଣା କେନ୍ଦ୍ରରେ ଯୋଗ ଦେବାକୁ ମନୋନିତ ହେଲି। ଇଲେକ୍ଟ୍ରୋ ମ୍ୟାଗ୍ନେଟିଜିମ୍, ଆକ୍ସେଲରେଟର୍ ପଦାର୍ଥ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ କାମ କରୁଥିବା ଗୋଟିଏ ଦଳ ସହ କାମ କରିବା ଲାଗି ମୋତେ ସୁଯୋଗ ମିଳିଲା। ଲୋ ଏନର୍ଜି ହାଇ ଇଣ୍ଟେନସିଟି ପ୍ରୋଟୋନ ଆକ୍ସେଲରେଟର (ଏଲଇଏଚଆଇପିଏ) ପାଇଁ ଡ୍ରିଫ୍ଟ ଟ୍ୟୁବ୍ ଲିନାକ କାଭିଟାଇଜର ଏବଂ ଆରଏଫ୍ (ରେଡିଓ ଫ୍ରିକୁଏନ୍ସି) ବୈଶିଷ୍ଟ୍ୟର ବିକାଶ ସହ ମୁଁ ଜଡ଼ିତ ହୋଇଥିଲି ।
୨୦ ଏମଇଭି ପ୍ରୋଟୋନ ବିମ୍ ସଫଳତାର ସହିତ ତ୍ୱରାନ୍ୱିତ ହେବା ଅତ୍ୟନ୍ତ ଗୌରବ ଏବଂ ସନ୍ତୋଷଜନକ ମୁହୂର୍ତ୍ତ ଥିଲା।’’ଏଲିନା ଲେଖିଛନ୍ତି, ‘‘ଦୁର୍ଗମ ଏବଂ ଗ୍ରାମାଞ୍ଚଳରେ, ପ୍ରାଥମିକ ସ୍ୱାସ୍ଥ୍ୟସେବା ନିଦାନ ଏବଂ ଇମେଜିଂ ସୁବିଧା ସଂଖ୍ୟାରେ କମ୍ ଥିବାରୁ, ଏକ ସ୍ୱଳ୍ପ ମୂଲ୍ୟର, କମ୍ପାକ୍ଟ, ପୋର୍ଟେବଲ୍, କ୍ରାୟୋ-ମୁକ୍ତ, ହାଲୁକା ବ୍ୟବସ୍ଥା ପାଇଁ ଏକ ଅଭିନବ ସମାଧାନ ପ୍ରସ୍ତୁତ କରାଯାଇଛି ଯାହା ସହଜରେ ଦୁର୍ଗମ ଅଞ୍ଚଳକୁ ପରିବହନ କରାଯାଇପାରିବ।
ଏ ଦିଗରେ, ଆମେ ଡାକ୍ତରୀ ପ୍ରୟୋଗ ପାଇଁ ଏକ ଅନ୍ତର୍ନିର୍ମିତ ଚୁମ୍ବକୀୟ କ୍ଷେତ୍ର ଗ୍ରେଡିଏଣ୍ଟ ସହିତ ହାଲବ୍ୟାକ୍ ଆଧାରିତ ସ୍ଥାୟୀ ଚୁମ୍ବକ ଡାଇପୋଲର ପରିକଳ୍ପନା ଏବଂ ବିକାଶ କରିଛୁ। ଏଗୁଡ଼ିକ ମଧ୍ୟରୁ ଅନେକ କିଛି ବୈଷୟିକ ଲାଗୁଥାଇପାରେ, କିନ୍ତୁ ଏହା ନିଶ୍ଚିତ ଭାବେ ସନ୍ତୋଷଜନକ ଏବଂ ଆଣବିକ ପ୍ରଯୁକ୍ତିବିଦ୍ୟା କିପରି ଜୀବନରେ ଉନ୍ନତି ଆଣିପାରିବ ତାହା ଏଥିରେ ପ୍ରଦର୍ଶିତ ହୋଇଥାଏ ।’’
