Sat. Feb 21st, 2026

ନ୍ୟୁଜ ଡେକ୍ସ : ସାଇବର ଅପରାଧୀଙ୍କ ନେଟୱର୍କକୁ ସମୂଳେ ଧ୍ୱଂସ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସ ଆରମ୍ଭ କରିଥିବା ‘ଅପରେସନ ସାଇବର କବଚ’ ଅଭିଯାନରେ ଆଜି ରାଜ୍ୟବ୍ୟାପୀ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ସାଇବର ଠକେଇରେ ବ୍ୟବହୃତ ‘ମ୍ୟୁଲ୍ ଆକାଉଣ୍ଟ’ (ବେନାମୀ ବ୍ୟାଙ୍କ ଆକାଉଣ୍ଟ) ଉପରେ ଚଢ଼ାଉ କରି ସମୁଦାୟ ୭୩ଟି ଆକାଉଣ୍ଟ ଯାଞ୍ଚ କରାଯାଇଛି। ଏଥିରେ ୩ଟି ନୂଆ ସାଇବର ମାମଲା ରୁଜୁ ହେବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ସହିତ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସହଯୋଗୀ ୫୧ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।

ଜିଲ୍ଲାଓଁ ଅନୁଯାୟୀ, ବୌଦ୍ଧ ଜିଲ୍ଲାରେ ୪୫ଟି ମ୍ୟୁଲ୍ ଆକାଉଣ୍ଟ ଯାଞ୍ଚ ସହ ୧ଟି ନୂଆ ମାମଲା ଓ ୪୫ ଜଣଙ୍କୁ ନୋଟିସ୍ ଜାରି ହୋଇଛି। ମାଲକାନଗିରି ଜିଲ୍ଲାରେ ୨୦ଟି ଆକାଉଣ୍ଟ ଯାଞ୍ଚ ହୋଇ ୧ଟି ନୂଆ ମାମଲା ରୁଜୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରେ ୨ଟି ଆକାଉଣ୍ଟ ଯାଞ୍ଚ ପରେ ପୂର୍ବରୁ ରୁଜୁ ମାମଲା ସହ ଲିଙ୍କ୍ ମିଳି ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେହିପରି କଟକ (UPD) ଅଞ୍ଚଳରେ ୬ଟି ମ୍ୟୁଲ୍ ଆକାଉଣ୍ଟ ଯାଞ୍ଚ ସହ ୧ଟି ନୂଆ ମାମଲା ଓ ୬ ଜଣଙ୍କୁ ନୋଟିସ୍ ଜାରି ହୋଇଛି।

ଏହି ସମଗ୍ର ଅଭିଯାନ ଜିଲ୍ଲା ଏସ୍‌ପି ଓ ଡିସିପିମାନଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ଜିଲ୍ଲା ସାଇବର ଟିମ୍‌ର ସହଯୋଗରେ ଚାଲିଥିଲା। ସାଇବର ଅପରାଧୀଙ୍କ ଆର୍ଥିକ ମୂଳକୁ ଭାଙ୍ଗି ଦେବା ଓ ସାଧାରଣ ଲୋକଙ୍କ ଡିଜିଟାଲ୍ ସୁରକ୍ଷା ସୁନିଶ୍ଚିତ କରିବା ‘ସାଇବର କବଚ’ ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *