ନ୍ୟୁଜ ଡେକ୍ସ: ପାକିସ୍ତାନ ସୀମାନ୍ତବର୍ତ୍ତୀ ରାଜ୍ୟରେ ଶୁକ୍ରବାର ଦ୍ୱିତୀୟ ନାଗରିକ ସୁରକ୍ଷା (ସିଭିଲ ଡିଫେନ୍ସ) ମକଡ୍ରିଲ ‘ଅପରେସନ ସିଲ୍ଡ’ ଅନୁଷ୍ଠିତ ହେବ । ଗୁରୁବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ୨୯ ତାରିଖରେ ଏହି ମକ୍ଡ୍ରିଲ ହେବାକୁ ଥିବା ବେଳେ କେତେକ ପ୍ରଶାସନିକ ସମସ୍ୟା ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।
ସୀମାପାର ବିପଦକୁ ନଜରେ ରଖି ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ଅଞ୍ଚଳଗୁଡ଼ିକରେ ପ୍ରସ୍ତୁତି ବୃଦ୍ଧି ଏବଂ ସଚେତନତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ମକଡ୍ରିଲ ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ଏବଂ ଜମ୍ମୁ ଓ କାଶ୍ମୀରରେ କରାଯିବ।ସୂତ୍ର ଅନୁଯାୟୀ, ପାକିସ୍ତାନ ସୀମା ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଏବେ ପ୍ରତି ମାସରେ ଏପରି ଅଭ୍ୟାସ ଅନୁଷ୍ଠିତ ହେବ। ଏହି ଅଭ୍ୟାସ ସମୟରେ, ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ଏବଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯିବ।
ଏହା ପୂର୍ବରୁ ଗତ ମେ ୭ ତାରିଖରେ ଦେଶବ୍ୟାପୀ ମକଡ୍ରିଲ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ମକଡ୍ରିଲ ପାକିସ୍ତାନ ସୀମାନ୍ତବର୍ତ୍ତୀ ରାଜ୍ୟ ସମେତ କେନ୍ଦ୍ର ଶାସିତ ପ୍ରଦେଶ ଚଣ୍ଡିଗଡରେ ମେ ୨୯ରେ କରାଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । କିନ୍ତୁ ପରେ ତାକୁ ବାତିଲ କରିଦିଆଯାଇଥିଲା । କାରଣ ସ୍ୱରୂପ କେବଳ ପ୍ରଶାସନିକ କାରଣ ବୋଲି ଦର୍ଶାଯାଇଥିଲା ।
