ନ୍ୟୁଜ ଡେକ୍ସ: ୧୮ ବର୍ଷ ପରେ ଯେବେ ସ୍ୱପ୍ନ ସାକାର ହୁଏ ତେବେ ଆଖିବେ ବିଜୟର ଲୁହ ଆସିଯାଏ । ଠିକ୍ ଯେମିତି ବିରାଟ କୋହଲିଙ୍କ ଆଖିରେ ଥିଲା । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ଚାମ୍ପିଅନ ହୋଇଛି ।
୧୭ଟି ସିଜିନ ଖେଳିବା ପରେ ପ୍ରଥମ ଥର ଟ୍ରଫି ଉଠାଇବାର ସ୍ୱପ୍ନ ସତ ହୋଇଛି । ଏଥି ସହ ବିରାଟ କୋହଲିଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । କୋହଲିଙ୍କର ବିରାଟ ସ୍ୱପ୍ନ ପୂରଣ ହୋଇଛି । ଆଇପିଏଲ ଟ୍ରଫି ତୋଳି ଧରିବାର ସେ ଗୌରବ ଲାଭ କରିଛନ୍ତି । ତେବେ ବିଜୟ ପରେ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଭାବବିହ୍ୱଳ ହୋଇ ଖୁସିରେ କାନ୍ଦି ପକାଇଛନ୍ତି। ମ୍ୟାଚ ପରେ ତାଙ୍କ ଠାରୁ କିଛି ପ୍ରତିକ୍ରିୟା ନିଆଯାଇଥିଲା, ସେଥିରେ ସେ କହିଛନ୍ତି ଯେ, ବିଜୟ ପରେ ସେ କାହାକୁ ଅଧିକ ମନେପକାଇଛନ୍ତି ।
ଏହି ବିଜୟ ପରେ ବିରାଟ କେବଳ ଫ୍ୟାନ୍ସଙ୍କୁ ମନେପକାଇନାହାନ୍ତି, ବରଂ ସେ ଜଣେ ଖାସ ବ୍ୟକ୍ତିଙ୍କୁ ମନେପକାଇଛନ୍ତି।ଏହି ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି, ସେ କୋହଲିଙ୍କ ବେଷ୍ଟ ଫ୍ରେଣ୍ଡ ନେଭିଲିୟର୍ସ। ଯିଏ ବେଙ୍ଗାଲୁରୁକୁ ଅନେକ ମ୍ୟାଚ ଜିତାଇଛନ୍ତି। ତେବେ ସୂଚନା ମୁତାବକ, ଦିନିକିଆ,ଟି-ଟ୍ୱେଣ୍ଟି ବିଶ୍ୱକପ୍ ସାଙ୍ଗକୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଛନ୍ତି । କୋହଲି ଆଇପିଏଲ୍ ଆରମ୍ଭରୁ ବେଙ୍ଗାଲୁରୁ ଦଳରେ ରହିଥିଲେ । ହେଲେ ଚାମ୍ପିଅନ ହୋଇ ପାରିନଥିଲେ । ଯାହା ତାଙ୍କର ବଡ଼ ଅବସୋସ ରହିଥିଲା । ଦୀର୍ଘ ବର୍ଷ ଧରି ସେ ଦଳର ନେତୃତ୍ୱ ନେଇଛନ୍ତି, ଦଳ ଫାଇନାଲ ବି ଖେଳିଛି କିନ୍ତୁ ଚାମ୍ପିଅନ ହୋଇପାରି ନଥିଲା ।
ଆଜି ହୁଏତ ବିରାଟଙ୍କ ମୁଣ୍ଡରେ ଅଧିନାୟକର ମୁକୁଟ ନାହିଁ କିନ୍ତୁ ସେ ଚାମ୍ପିଅନ, ମୁକୁଟ ବିହୀନ ଚାମ୍ପିଅନ । ଦଳ ବିଜୟର ଅତି ନିକଟତର ହେବା ପରେ ଭେଟେରାନ କୋହଲିଙ୍କ ଆଖିରେ ଲୁହ ଜକେଇ ଆସିଥିଲା । ଦଳ ଜିତିବା ପରେ ସେ ନିଜର ଭାବପ୍ରବଣତାକୁ ଲୁଚାଇ ପାରିନଥିଲେ । ମୁହଁରେ ହାତ ଦେଇ ସେ ଆଣ୍ଠୁ ମାଡ଼ି ପଡ଼ିଆରେ ବସି ପଡ଼ିଥିଲେ । ସାଥି ଖେଳାଳିମାନେ ଆସି ତାଙ୍କୁ ସାନ୍ତ୍ୱନା ଦେଇଥିଲେ ।
