ନ୍ୟୁଜ ଡେକ୍ସ: ଆସୁଛି ଖରା । ବର୍ତ୍ତମାନ ଖରା ବଢ଼ିବ । ଫେବ୍ରୁଆରୀ ଆରମ୍ଭରୁ ତାପମାତ୍ରା ଅଧିକ ବଢ଼ିପାରେ । ପାରଦ ବର୍ତ୍ତମାନ ତୁଳନାରେ ୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ବଢ଼ିପାେରେ । କିଛି ଜାଗାରେ ପାରଦ ୩୪-୩୫ ଡିଗ୍ରୀ ଡେଇଁପାରେ । ପାଣିପାଗ ବିଶେଷଜ୍ଞ କହିଛନ୍ତି, ବର୍ତ୍ତମାନ ଶୀତ ପ୍ରକୋପ କମିବ । ବଢ଼ିବ ଦିନ ଓ ରାତି ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହେବା ସହ କିଛି ସ୍ଥାନରେ ତାପମାତ୍ରା ୩୪-୩୫ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ତେବେ ଉପକୂଳ ଓଡ଼ିଶାର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଦିନ ତାପମାତ୍ରା ଆସନ୍ତା ୩୧ ପରଠାରୁ କ୍ରମାଗତ ଭାବେ ବୃଦ୍ଧି ପାଇବ । ଆଗ ପଛ ହୋଇ ଭାରତ ଉପରେ ପ୍ରଭାବ ପକାଇବ ୩ଟି ପଶ୍ଚିମା ଝଡ଼ । ସମ୍ଭାବ୍ୟ ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶା ଉପରେ ଗୁରୁଚାପ ବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ବାୟୁମଣ୍ଡଳର ମଧ୍ୟଭାଗରେ ଜଳୀୟବାଷ୍ପ ରହିବ ନାହିଁ । ସୂର୍ଯ୍ୟ କିରଣ ସିଧା ଆସି ପଡ଼ିବ । ଫଳରେ ତାପମାତ୍ରା ବଢ଼ିବ । ସପ୍ତାହକ ତଳେ ଓଡ଼ିଶାରେ ଅଚାନକ ତାପମାତ୍ରା ବଢ଼ିବାରୁ ଅସ୍ୱାଭାବିକ ଭାବେ ବଢ଼ିଥିଲା ଗରମ । ଏପରିକି କୋରାପୁଟରେ ଜାନୁଆରୀ ମାସର ସର୍ବକାଳୀନ ରେକର୍ଡ ତାତି ଅନୁଭୂତ ହୋଇଥିଲା । ବିଶେଷଜ୍ଞଙ୍କ କହିବାନୁସାରେ ପୁଣି ଏଭଳି ଗରମ ବଢ଼ିବ । ଫେବ୍ରୁଆରୀ ୨ ତାରିଖବେଳକୁ ଦିନ ତାପମାତ୍ରା ରେକର୍ଡ ଭାଙ୍ଗିପାରେ । ୪୮ ଘଣ୍ଟା ପାଇଁ ଘନ କୁହୁଡ଼ି ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।
ଆସନ୍ତାକାଲି ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।ଗତ ୨୪ ଘଣ୍ଟାରେ ବରଗଡ଼ ଓ ନୂଆପଡ଼ାରେ ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍ ଥିବାବେଳେ ସମ୍ବଲପୁର ୩୨.୮, ଝାରସୁଗୁଡ଼ା ୩୨.୫, ପାରଳାଖେମୁଣ୍ଡି ୩୨, ଭବାନୀପାଟଣା ୩୨, ଭୁବନେଶ୍ୱର ୩୧.୫, ବଲାଙ୍ଗୀର ୩୧.୯, ସୁନ୍ଦରଗଡ଼ ୩୧.୯, ବୌଦ୍ଧ ୩୧.୮, ହୀରାକୁଦ ୩୧.୬, ଭଦ୍ରକ ୩୧.୫, ସୋନପୁର ୩୧.୪ ମାଲକାନଗିରି ୩୧.୩, ଜଗତସିଂହପୁର ୩୧.୨, ନବରଙ୍ଗପୁର ୩୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।

