Thu. Oct 23rd, 2025

ନ୍ୟୁଜ ଡେକ୍ସ : ଜୁଲାଇ ୨୩ କୁ ଭାରତରେ ଜାତୀୟ ପ୍ରସାରଣ ଦିବସ ବାର୍ଷିକ ଉତ୍ସବ ଭାବେ ପାଳନ କରାଯାଇଥାଏ । ଏହି ଦିନଟି ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକମାନଙ୍କ ଜୀବନରେ ରେଡିଓର ପ୍ରଭାବ ବିଷୟରେ ମନେ ପକାଇବା । ଭାରତରେ ରେଡିଓ ପ୍ରସାରଣ ୮୭ ବର୍ଷରୁ ଅଧିକ ସମୟ ହୋଇଛି। ଭାରତରେ ପ୍ରଥମ ପ୍ରସାରଣର ମାଧ୍ୟମ ହେଉଛି ଅଲ୍ ଇଣ୍ଡିଆ ରେଡିଓ(AIR)।

ଦେଶରେ ପ୍ରଥମ ଥର ପାଇଁ ଜୁନ୍ ୧୯୨୩ରେ, ବମ୍ବେର ରେଡ଼ିଓ କ୍ଲବ୍ ବ୍ରିଟିଶ ରାଜୁତି ସମୟରେ ପ୍ରସାରଣ ଆରମ୍ଭ କରିଥିଲା। ଏହା ପରେ, କଲିକତା ରେଡିଓ କ୍ଲବ୍ ପାଞ୍ଚ ମାସ ପରେ ପ୍ରତିଷ୍ଠିତ ହୋଇଥିଲା, କିନ୍ତୁ ଜୁଲାଇ ୨୩, ୧୯୨୭ରେ ଇଣ୍ଡିଆନ ବ୍ରୋଡକାଷ୍ଟିଂ କମ୍ପାନୀ (ଆଇବିସି) ସ୍ଥାପନ ହେଲା। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଜୁଲାଇ ୨୩କୁ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଏ। ୧୯୫୬ରେ, ଜାତୀୟ ବ୍ରୋଡକାଷ୍ଟର ପାଇଁ ‘ଆକାଶବାଣୀ’ ନାମ ଗ୍ରହଣ କରାଯାଇଥିଲା। ବିବିଧ ଭାରତୀ ସେବା ୧୯୫୭ରେ ଆରମ୍ଭ ହୋଇଥିଲା। AIR ପ୍ରସାର ଭାରତୀର ଏକ ବିଭାଗ, ଯାହା ପୂର୍ବରୁ ସରକାରୀ ନିୟନ୍ତ୍ରଣରେ ଥିଲା। କିନ୍ତୁ ବର୍ତ୍ତମାନ ଏହା ଏକ ସ୍ୱୟଂଶାସିତ ସଂସ୍ଥା। ଦଶନ୍ଧି ଧରି ରେଡ଼ିଓ ସର୍ବ ପୁରାତନ, ସବୁଠାରୁ ଲୋକପ୍ରିୟ ଏବଂ ବହୁଳ ଭାବରେ ବ୍ୟବହାର ଯୋଗ୍ୟ ମାଧ୍ୟମ ରହିଥିଲା।

ରେଡିଓ ପ୍ରସାରଣର ନିଜସ୍ୱ ଗୁରୁତ୍ୱ ରହିଛି। ସ୍ୱାଧୀନତା ପୂର୍ବରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ‘ଆଜାଦ ହିନ୍ଦ ରେଡିଓ’ ଏବଂ ‘କଂଗ୍ରେସ ରେଡିଓ’ ବ୍ରିଟିଶମାନଙ୍କ ବିରୁଦ୍ଧରେ ଭାରତୀୟଙ୍କୁ ଜାଗ୍ରତ କରିବାରେ ସାହାଯ୍ୟ କରିଥିଲେ। ସ୍ୱାଧୀନତା ପରେ ରେଡିଓ ପ୍ରସାରଣ ସ୍ୱାଧୀନ ଭାରତ ନିର୍ମାଣରେ ଏକ ମାଇଲଖୁଣ୍ଟ ଭାବରେ କାର୍ଯ୍ୟ କରିଥିଲା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୂଚନା ପ୍ରସାରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ରେଡ଼ିଓ।

Leave a Reply

Your email address will not be published. Required fields are marked *