Thu. Jun 4th, 2026

ନ୍ୟୁଜ ଡେକ୍ସ : ଅନ୍‌ଲାଇନ୍‌ରେ ଔଷଧ ବିକ୍ରିକୁ ବିରୋଧ କରି ଆଜି ଦେଶବ୍ୟାପୀ ୨୪ ଘଣ୍ଟିଆ ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି। ଏହି ବନ୍ଦ ଡାକରାରେ ସାରା ଦେଶରୁ ପ୍ରାୟ ଅଢ଼େଇ ଲକ୍ଷ ଔଷଧ ଦୋକାନୀ ସାମିଲ ହୋଇଥିବାବେଳେ ଓଡ଼ିଶାରୁ ପ୍ରାୟ ୩୦ ହଜାର ଦୋକାନୀ ଯୋଗ ଦେଇଛନ୍ତି। କେବଳ ରୋଗୀଙ୍କ ପାଇଁ ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।

କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟ୍ସ୍ ଆସୋସିଏସନ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ସମୟରେ ସାଧାରଣ ଲୋକଙ୍କୁ ଔଷଧ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଡ୍ରଗ୍ କଣ୍ଟ୍ରୋଲର ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର ଓ ସହକାରୀ ଡ୍ରଗ୍ ନିୟନ୍ତ୍ରକଙ୍କୁ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟରେ ଔଷଧ ଯୋଗାଣ ସୁଚାରୁ ରଖିବା ପାଇଁ ସାତ ସୂତ୍ରି ବ୍ୟବସ୍ଥା କରାଯାଇଛି। ସମସ୍ତ ସ୍ଥାନରେ ଜୀବନ ରକ୍ଷାକାରୀ ଓ ଅତ୍ୟାବଶ୍ୟକ ଔଷଧର ଉପଲବ୍ଧତା ଏବଂ ଯୋଗାଣ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୪ ଘଣ୍ଟିଆ ଚାଲୁଥିବା ଡାକ୍ତରଖାନା ଓ କ୍ଲିନିକାଲ୍ ପ୍ରତିଷ୍ଠାନ ସହ ସଂଲଗ୍ନ ଇନ୍-ହାଉସ୍ ଫାର୍ମାସି ଓ ଔଷଧ ଦୋକାନଗୁଡ଼ିକରେ ଆବଶ୍ୟକ ଅନୁଯାୟୀ ଅତିରିକ୍ତ କର୍ମଚାରୀ ନିୟୋଜନ କରିବାକୁ କୁହାଯାଇଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ସହ ସମନ୍ୱୟ ରଖି ଆବଶ୍ୟକ ସ୍ଥାନରେ ଦୋକାନ ଖୋଲିବା ଓ ପରିଚାଳନାକୁ ସହଜ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ବନ୍ଦ ଯୋଗୁଁ କୌଣସି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ନ ହେଉ, ସେଥିପାଇଁ ସ୍ଥାନୀୟ ଡ୍ରଗ୍ସ ବିକ୍ରେତା ସଂଘ ସହ ସମନ୍ୱୟ ରଖି ଔଷଧର ନିରବଚ୍ଛିନ୍ନ ବଣ୍ଟନ ବ୍ୟବସ୍ଥା କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *