ନ୍ୟୁଜ ଡେକ୍ସ : ଆଜି ଡିସେମ୍ବର ପହିଲା, ସାରା ପୃଥିବୀରେ ପାଳନ କରାଯାଉଛି ବିଶ୍ୱ ଏଡ୍ସ ଦିବସ। ଏହି ଦିବସ ମାଧ୍ୟମରେ ଏଚ୍ଆଇଭି-ଏଡ୍ସ ସମ୍ପର୍କରେ ସଚେତନତା ବଢ଼ାଇବା ସହ ରୋଗୀଙ୍କ ପ୍ରତି ସମାଜର ସହାନୁଭୂତି ଓ ସହଯୋଗର ବାର୍ତ୍ତା ଦିଆଯାଏ। ଚଳିତବର୍ଷ ବିଶ୍ୱ ଏଡ୍ସ ଦିବସର ଥିମ୍ ରହିଛି — ‘ବିଭ୍ରାଟକୁ ଦୂର କରିବା, ଏଡ୍ସ ପ୍ରତିକ୍ରିୟାକୁ ରୂପାନ୍ତରିତ କରିବା’।ଓଡ଼ିଶାରେ ଏଚ୍ଆଇଭି-ଏଡ୍ସର ସ୍ଥିତି ଏବେ ମଧ୍ୟ ସମ୍ବେଦନଶୀଳ ରହିଛି।
ରାଜ୍ୟରେ ରୋଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ତରରେ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ସତ୍ତ୍ୱେ ପ୍ରତିବର୍ଷ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି।ଚଳିତବର୍ଷ ରାଜ୍ୟବ୍ୟାପୀ ୧୪ ଲକ୍ଷ ୧୩ ହଜାର ୬୧୬ ଜଣଙ୍କର ଏଚ୍ଆଇଭି ପରୀକ୍ଷା କରାଯାଇଥିବା ବେଳେ ଅକ୍ଟୋବର ମାସ ପର୍ଯ୍ୟନ୍ତ ୨୪୬୨ ଜଣ ଏଚ୍ଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ଭିତ୍ତିକ ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୩୮, କଟକରୁ ୨୬୧, ସମ୍ବଲପୁରରୁ ୧୯୫, ବଲାଙ୍ଗୀରରୁ ୧୧୦ ଓ ସୁନ୍ଦରଗଡ଼ରୁ ୧୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।ବିଶେଷଜ୍ଞଙ୍କ ମତରେ, ଏଚ୍ଆଇଭି ସଂକ୍ରମଣ ପ୍ରତିରୋଧ ପାଇଁ ସଚେତନତା, ସୁରକ୍ଷିତ ଆଚରଣ, ସମୟୋପଯୋଗୀ ପରୀକ୍ଷା ଓ ଚିକିତ୍ସା ଅତ୍ୟନ୍ତ ଜରୁରୀ। ବିଶ୍ୱ ଏଡ୍ସ ଦିବସ ଅବସରରେ ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ରାଲି, ପରୀକ୍ଷା ଶିବିର ଓ ସଭା-ସମାବେଶ ଆୟୋଜିତ ହେଉଛି।

